ଗୁଜରାଟ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌: ୫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବିଜେପିର ୨ ସଦସ୍ୟ

ଅହମଦାବାଦ: ସୋମବାର ଦିନ ଗୁଜରାଟର ଅହମଦାବାଦ ଠାରେ ପୁଲିସ କନେଷ୍ଟବଳ ପଦବୀ ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟନାରେ ଅଭିଯୁକ୍ତ ୫ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ବିଜେପି ସଦସ୍ୟ ଏବଂ ଜଣେ ପୁଲିସ ସବ୍‌-ଇନ୍‌ସପେକ୍ଟର୍‌।

ସବ୍‌-ଇନ୍‌ସ୍‌ପେକ୍ଟର୍‌ ପି ଭି ପଟେଲ୍‌, ଏବଂ ବିଜେପି ସଦସ୍ୟ ମୁକେଶ ଚୌଧୁରୀ ଏବଂ ମନହର ପଟେଲ୍‌, ବଡ଼ୋଦର ପୌର ନିଗମର କର୍ମଚାରୀ ଯଶପାଲ ସୋଲାଙ୍କି ଏବଂ ଏକ ଘରୋଇ ହଷ୍ଟେଲ୍‌ର ମାଲିକ ରୁପାଲ ଶର୍ମାଙ୍କ ନାମରେ ଅଭିଯୋଗ ଦାଏର ହୋଇଛି।

ଆଜି ସକାଳେ ଅଭିଯୋଗ ଦାଏର କରାଯିବା ପରେ ଗୁଜରାଟ ଓ କେନ୍ଦ୍ରରେ କ୍ଷମତାସୀନ ଥିବା ଭାରତୀୟ ଜନତା ପାର୍ଟି ସେ ଦୁଇ ସଦସ୍ୟଙ୍କୁ ବହିଷ୍କାର କରିଛି।

ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ରବିବାର ଦିନ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଥିବା ପରୀକ୍ଷା ବାତିଲ୍‌ କରାଯାଇଥିଲା।

ଅପରାହ୍ଣ ୩ଟା ବେଳେ ସମଗ୍ର ଗୁଜୁରାଟର ୨, ୪୪୦ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ୮. ୭୫ ଲକ୍ଷ ପ୍ରାର୍ଥୀ ଉପସ୍ଥିତ ହୋଇଥାଆନ୍ତେ।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ଶାସକ ଦଳର ଲୋକେ ଏହି ଘଟନାରେ ସମ୍ପୃକ୍ତ ଥିବାରୁ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ ଏକ ଏସ୍‌ଆଇଟି ଗଠନ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

ସମ୍ବନ୍ଧିତ ଖବର