ବୟସ ହୋଇ ନ ଥିବାରୁ ବାହା ହୋଇ ପାରୁ ନ ଥିବା ପ୍ରେମିକ ସହ ରହିବାକୁ ଯୁବତୀଙ୍କୁ ଅନୁମତି ଦେଲେ ଗୁଜୁରାଟ ହାଇକୋର୍ଟ

ଅହମଦାବାଦ: ବୟସ ହୋଇ ନ ଥିବାରୁ ବାହା ହୋଇ ପାରୁ ନ ଥିବା ନିଜ ପ୍ରେମିକଙ୍କ ସହ ଏକତ୍ର ବାସ କରିବାକୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଗୁଜୁରାଟ ହାଇକୋର୍ଟ ଅନୁମତି ଦେଇଛନ୍ତି।

ମାଆ ଓ ଆତ୍ମୀୟମାନଙ୍କ ସହ ରହିବେ ନାହିଁ ବୋଲି ସ୍ପଷ୍ଟ କହୁଥିବା ସେ ଯୁବତୀ ନିଜ ୧୯ ବର୍ଷିୟ ପ୍ରେମିକଙ୍କ ସହ ଯାଇ ପାରିବେ ବୋଲି ଅଦାଲତ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି କି, ଯୁବତୀଜଣକ ନାବାଳିକା ନୁହନ୍ତି, ଆଇନ୍‌ ଅନୁସାରେ ତାଙ୍କର ଯାହାଙ୍କ ସହ ଇଚ୍ଛା ତାଙ୍କ ସହ ରହିପାରିବେ।

ଯୁବତୀ ଯେଉଁଠି ରହିବାକୁ ଇଚ୍ଛା କରୁଛନ୍ତି ପୁଲିସ ତତ୍ତ୍ୱାବଧାନରେ ତାଙ୍କୁ ସେଠାରେ ଛାଡ଼ି ଦିଆଯିବ ବୋଲି ରାଜ୍ୟ ସରକାର ମଧ୍ୟ କହିଛନ୍ତି। ବୁଧବାର ହାଇକୋର୍ଟରେ ତାଙ୍କ କିଶୋର ପ୍ରେମିକ ହେବିଅସ୍‌ କର୍ପସ୍‌ ପିଟିସନ୍‌ ଦାଏର୍‌ କରିବା ପରେ ସେମାନଙ୍କର ଲିଭ୍‌-ଇନ୍‌ ରିଲେସନ୍‌ ସମ୍ପର୍କରେ ଏକ ଚୁକ୍ତି ଆଧାରରେ, ଯୁବତୀଜଣକ ନିଜ ପିତାମାତା ଓ ଆତ୍ମୀୟସ୍ୱଜନଙ୍କ ଠାରୁ ମୁକ୍ତ ହୋଇ ପ୍ରେମିକଙ୍କ ସହ ମିଳିତ ହୋଇଛି।

ଯୁବତୀ ପ୍ରେମିକଙ୍କୁ ତାଙ୍କ ପରିବାର ବଳପୂର୍ବକ ଦୂରେଇ ରଖୁଥିବାରୁ ତାଙ୍କୁ ଅଦାଲତକୁ ଅଣାଯାଉ ବୋଲି ଜୁଲାଇ ୨୯ ତାରିଖ ଦିନ ପ୍ରେମିକ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଆଇନ ଅନୁସାରେ, ବିବାହଯୋଗ୍ୟ ହୋଇ ନ ଥିବାରୁ ସେ ପ୍ରେମିକାଙ୍କୁ ବାହା ହୋଇ ପାରିବେ ନାହିଁ ବୋଲି ଦର୍ଶାଇ ଥିଲେ। ତେଣୁ ଲିଭ୍‌-ଇନ୍‌ ଚୁକ୍ତିରେ ଉଭୟ ବସବାସ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେମାନେ ନୋଟାରିଙ୍କ ନିକଟରୁ ଦଲିଲ୍‌ ମଧ୍ୟ କରାଇଛନ୍ତି।

ଆବେଦନକାରୀ ପ୍ରେମିକ ଅଦାଲତଙ୍କୁ କହିଥିଲେ କି ଅନେକ ବିଜାତୀୟ ବିବାହ କରି ସେମାନଙ୍କ ସମ୍ପର୍କକୁ ମଧ୍ୟ ପରିବାର ଲୋକେ ବିରୋଧ କରିଆସୁଥିଲେ। ଜୁନ୍‌ ମାସରେ ଉଭୟ ଘରୁ ୧୦ ଦିନ ଧରି ନିରୁଦ୍ଦେଶ ହେବା ପରେ ସେମାନେ ତାଙ୍କୁ ଠାବ କରି ଧରି ଥିଲେ।

ତାଙ୍କ ଆବେଦନ ଶୁଣି ଯୁବତୀଙ୍କୁ କୋର୍ଟରେ ହାଜର କରାଇବାକୁ ହାଇକୋର୍ଟ ସୁରେନ୍ଦ୍ର ନଗର ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଥିଲେ।
ବୁଧବାର ଦିନ ପୁଲିସ ଯୁବତୀଙ୍କୁ ତାଙ୍କ ମାଆଙ୍କ ଘରୁ ଆଣିଥିଲା।

ସମ୍ବନ୍ଧିତ ଖବର