ପୁଲଓ୍ଵାମା ଆକ୍ରମଣର ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶାଢ଼ିରେ ଯବାନମାନଙ୍କ ଫଟୋ ପ୍ରିଣ୍ଟ କରାଇଲେ କମ୍ପାନି; ସହିଦ୍‌ ପରିବାରକୁ ଦିଆଯିବ ବିକ୍ରିରୁ ମିଳିବାକୁ ଥିବା ଲାଭ

ସୁରଟ୍‌ : ପୁଲଓ୍ଵାମାରେ ଘଟିଥିବା ହୃଦୟବିଦାରକ ଘଟଣାକୁ ସପ୍ତାହେ ବିତି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶବାସୀ ସେ ଦୁଃଖରୁ ବାହାରି ପାରି ନାହାନ୍ତି । ଏବେ ବି ଦୁର୍ଘଟଣା ସମୟର ଦୃଶ୍ୟ ସେମାନଙ୍କ ଆଖିରେ ନାଚି ଉଠୁଛି । ସହିଦ୍‌ ଯବାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବାସୀ ପାକିସ୍ତାନୀ ବିରୋଧୀ ଆନ୍ଦୋଳନ ଆରମ୍ଭ କରି ଦେଇଥିବା ବେଳେ ଧୀରେ ଧୀରେ ପାକିସ୍ତାନକୁ ଭାରତ ତରଫରୁ ମିଳୁଥିବା ସବୁ ସୁବିଧାକୁ ବନ୍ଦ କରି ଦିଆ ଯାଇଛି । କେବଳ ପାକିସ୍ତାନଠାରୁ ପ୍ରତିଶୋଧ ନୁହେଁ, ସହିଦ୍‌ ପରିବାରକୁ ସାହାଯ୍ୟ କରିବା ପାଇଁ ମଧ୍ୟ ଦେଶବାସୀ ଆଗେଇ ଆସିଛନ୍ତି । ବିଭିନ୍ନ ଉପାୟରେ ଲୋକମାନେ ଟଙ୍କାର ଯୋଗାଡ଼ କରି ସାହାଯ୍ୟ କରିବା ଆରମ୍ଭ କରିଛନ୍ତି।

ସେଭଳି ଭାବରେ ଗୁଜୁରାଟର ସୁରଟ୍‌ରେ ଥିବା ଶାଢ଼ି ତିଆରି କମ୍ପାନି ଅନ୍ନପୂର୍ଣ୍ଣା ଇଣ୍ଡଷ୍ଟ୍ରିଜ୍‌ ସହିଦ୍‌ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଶାଢ଼ିରେ ୪୦ଜଣ ସହିଦ୍‌ ଯବାନଙ୍କ ଫଟୋ ପ୍ରିଣ୍ଟ କରି ବିକିବା ଆରମ୍ଭ କରିଛି । ଶାଢ଼ି ବିକ୍ରି ହେବା ପରେ ଯାହା ଲାଭ ମିଳିବ, ତାହାକୁ ସହିଦ୍‌ ପରିବାରକୁ ଦିଆ ଯିବ ବୋଲି ସୁରଟ୍‌ରେ ଥିବା ଶାଢ଼ି କମ୍ପାନି ତରଫରୁ କୁହାଯାଇଛି ।

ଅନ୍ନପୂର୍ଣ୍ଣା ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ମନୀଷଙ୍କ କହିବା ଅନୁଯାୟୀ, ଆମେ ଶାଢ଼ିରେ ଯବାନମାନଙ୍କ ସାହାସିକତାର ଦୃଶ୍ୟ ଦେଖାଇବା ସହ ଯୁଦ୍ଧ ସମୟର ଦୃଶ୍ୟ ମଧ୍ୟ ଦେଖାଇଛୁ । ଯୁଦ୍ଧରେ ବ୍ୟବହାର କରାଯାଉଥିବା ଉପକରଣର ଫଟୋ ମଧ୍ୟ ଶାଢ଼ିରେ ପ୍ରିଣ୍ଟ କରାଯାଇଛି । ଏହାକୁ ଆମେ ଅନ୍‌ଲାଇନ୍‌ ବିକ୍ରି କରୁଥିବା ସହ ସାରା ଦେଶରୁୁ ଏହି ଶାଢ଼ି କିଣିବା ପାଇଁ ଅର୍ଡର ଆସିବାରେ ଲାଗିଛି । ବିକ୍ରି ସରିବା ପରେ ଯାହାବି ଲାଭ ହେବ, ଆମେ ତାକୁ ସହିଦ୍‌ ଯବାନଙ୍କ ପରିବାର ଲୋକଙ୍କୁ ଦାନ କରିବୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର