ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ବାୟୁ, ଓଡ଼ିଶାର ସହାୟତା ଲୋଡ଼ିଲା ଗୁଜୁରାଟ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବାୟୁ ଧୀରେ ଧୀରେ ଉତ୍ତରକୁ ଗତି କରିବା ସହ ଅଧିକ ଶକ୍ତିଶାଳୀ ହେଉଛି । ଏହାକୁ ଭେରି ସିଭିୟର ସାଇକ୍ଲୋନ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସାମୁଦ୍ରିକ ବାତ୍ୟା ବାୟୁ ଏବେ ଗୋଆଠାରୁ ୪୬୦ କିମି ଉତ୍ତର-ପଶ୍ଚିମରେ ଓ ମୁମ୍ବାଇଠାରୁ ୨୯୦ କିମି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଆସନ୍ତା ୧୩ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମାହୁଭା ମଧ୍ୟବର୍ତ୍ତି କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗୁଜୁରାଟରେ ଏନଡିଆରଏଫକୁ ମୃତୟନ କରାଯାଇଥିବାବେଳେ ସେନା, ବାୟୁସେନା ଓ କୋଷ୍ଟଗାର୍ଡକୁ ସତର୍କ ରଖାଯାଇଛି । ଜିରୋ କାଜୁଆଲିଟି ପାଇଁ ଗୁୁଜୁରାଟ ସରକାର ଲକ୍ଷ୍ୟ ରଖିଛନ୍ତି ଓ ଏଥିପାଇଁ ଉପକୂଳକୁ ଲାଗିଥିବା ୧୦ଟି ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଆଜି ସଂଧ୍ୟାସୁଦ୍ଧା ମୋଟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ଗତ ମାସରେ ବାୟୁଠାରୁ ଦୁଇଗୁଣ ଶକ୍ତିଶାଳୀ ବାତ୍ୟା ଫନିର ସାମନା କରିଥିବା ଓଡ଼ିଶା ଏହି ବିପଦ ସମୟରେ ଗୁଜୁରାଟକୁ ସହାୟତାର ହାତ ବଢେଇଛି । ଗୁଜୁରାଟ ସରକାରଙ୍କ ଅନୁରୋଧ ମିଳିବା ପରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗୁଜୁରାଟ ମୁଖ୍ୟ ସଚିବ ଜେଏନ ସିଂଙ୍କ ସହ ଫୋନରେ କଥା ହୋଇଛନ୍ତି । ବାତ୍ୟା ପ୍ରସ୍ତୁତି ଓ ମୁକାବିଲା ଦିଗରେ ଓଡ଼ିଶା ସବୁ ପ୍ରକାରର ସହାୟତା କରିବ ବୋଲି ଶ୍ରୀ ପାଢୀ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର