ନିପା ବାହକ ବାଦୁଡ଼ିକୁ ଡର ନାହିଁ ! ଦେଶରେ ନିପା ଭୂତାଣୁ ଆତଙ୍କ ଖେଳାଉ ଥିବା ବେଳେ ଘରେ ୪୦୦ ବାଦୁଡ଼ି ପାଳିଛନ୍ତି ଏହି ଗୁଜରାଟୀ ମହିଳା
ମେହସାନା: ସମଗ୍ର ଦେଶରେ ଏବେ ନିପା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଅହମଦାବାଦ ଠାରୁ ୫୦ କିଲୋମିଟର ଦୂର ରାଜପୁର ଗାଁ’ର ଜଣେ ମହିଳାଙ୍କ ଦୁଇ ବଖୁରିଆ ଘରେ ରହୁଛନ୍ତି ୪୦୦ ବାଦୁଡ଼ି।
Sambad is now on WhatsApp
Join and get latest news updates delivered to you via WhatsApp
ଶାନ୍ତାବେନ୍ ପ୍ରଜାପତି ନାମ୍ନୀ ସେ ୭୪ ବର୍ଷୀୟ ମହିଳାଙ୍କୁ ଗାଁ ଲୋକେ ଶ୍ରଦ୍ଧାରେ ଡାକନ୍ତି: ‘ଚମାଚିଦିୟାଓ୍ଵାଲା ବା’ ଅର୍ଥାତ୍ ଚେମିଣିଆଙ୍କ ସହ ବାସ କରୁଥିବା ଜେଜିମା।
ସେ କହନ୍ତି: ମୁଁ ନିପା ଭୂତାଣୁ କଥା ଶୁଣିଛି, କିନ୍ତୁ ସେପାଇଁ ମୋର ଡର ନାହିଁ। ବର୍ଷ ବର୍ଷ ହେବ ମୁଁ ବାଦୁଡ଼ିମାନଙ୍କ ସାଙ୍ଗରେ ଚଳିଲିଣି। ସେମାନେ ମୋ ପରିବାର। ସେମାନଙ୍କର ସଂଖ୍ୟା ବଢ଼ିବାରୁ ମୁଁ ରନ୍ଧାବଢ଼ା କରିବା ଓ ଶୁଆବସା କରିବାକୁ ଅଗଣାକୁ ଉଠିଗଲିଣି। ଘରେ ଆଉ ଅଳ୍ପ କିଛି ଜିନିଷ ରହିଛି।
ତାଙ୍କର ଦୁଇ ମହଲା ଘରର ଚାରି କାନ୍ଥ ପାଲଟିଛି ବାଦୁଡ଼ିଙ୍କ କଲୋନି।
ପ୍ରାୟ ଦଶ ବର୍ଷ ତଳେ ଝାଙ୍କେ ବାଦୁଡ଼ି ଆସି ତାଙ୍କର ପଲସ୍ତରା କରାଯାଇ ନ ଥିବା କାନ୍ଥରେ ଲଟକି ରହିଲେ। ପ୍ରଥମେ ସେ ବାଦୁଡ଼ିଙ୍କୁ ଡରୁଥିଲେ। ପରେ ଦେହସୁହା ହୋଇଗଲା। ସେମାନେ ରାତିରେ ପଦାକୁ ଉଡ଼ିଯାଆନ୍ତି ଏବଂ ବଡ଼ି ଭୋର୍ରୁ ପୁଣି ଘରକୁ ଫେରି ଆସନ୍ତି। ଘରେ ହଗିମୂତି ଭାରି ଅପରିଚ୍ଛନ୍ନିଆ କରନ୍ତି।
ତିନି ଝିଅ ବାହା ହୋଇଯାଇଛନ୍ତି। ପୁଅ ଦିନେଶ ମୁମ୍ବାଇରେ ରହୁଛି। ୩୦ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀ କାଞ୍ଜିଭାଇ ବିଜୁଳି ଆଘାତରେ ମରିଯାଇଥିଲେ। ମୂଲପାତି ଲାଗି ସେ ପିଲା ଚାରିଙ୍କୁ ବଢ଼ାଇଛନ୍ତି। ଏବେ ସେ ଘରେ ଏକଲା।
ଘରୁ ଦୁର୍ଗନ୍ଧ ହଟାଇବାକୁ ଦିନକୁ ନିମ ଧୂପ ଦିଅନ୍ତି ଓ କର୍ପୂର ଜାଳନ୍ତି। ସିରାଏ ବାଦୁଡ଼ି ଲଣ୍ଡି ସଫା କରନ୍ତି।
ସେ କହନ୍ତି ରାସାୟନିକ ଔଷଧ ପକାଇଲେ ସେମାନେ ପଳାନ୍ତେ। କିନ୍ତୁ ତାଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ମୁଁ ବା କିଏ?
ମଲାଯାଏଁ ସେ ବାଦୁଡ଼ିଙ୍କ ଠାରୁ ଅଲଗା ହେବେ ନାହିଁ ବୋଲି କହିଛନ୍ତି।
ତାଙ୍କ ଘରେ ଥିବା ବାଦୁଡ଼ି ସବୁ ମୂଷାଲାଞ୍ଜୀ ବାଦୁଡ଼ି ହୋଇ ଥିବାରୁ ନିପା ଭୂତାଣୁ ସଂକ୍ରମଣର ସମ୍ଭାବନା ନାହିଁ।
ବିଶେଷଜ୍ଞମାନେ କହନ୍ତି: ନିପା ଭୂତାଣୁର ବାହକ ହେଲେ ଫଳଭୋଜୀ ବାଦୁଡ଼ି।