ଥମିଲା ଗୁଜରାଟ ନିର୍ବାଚନ ପ୍ରଚାର

ଅହମଦାବାଦ୍‌: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଥିବା ଧୂଅାଁଧାର ପ୍ରଚାର କାର୍ଯ୍ୟକ୍ରମରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ୧୮୨ ବିଧାନସଭା ଆସନରୁ ଡିସେମ୍ବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୮୯ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୧୪ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ। କେନ୍ଦ୍ରୀୟ ଏବଂ ଉତ୍ତର ଗୁଜରାଟର ସମୁଦାୟ ୧୪ଟି ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟର ୨.୨୨ କୋଟି ଭୋଟର ୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାରାଥନ ପ୍ରଚାରରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଗୁଜରାଟ ନିର୍ବାଚନରେ ହାର ଜିତ୍‌କୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଏହା ଉଭୟ ମୋଦି ଏବଂ ରାହୁଲଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି।

ଏଥର ନିର୍ବାଚନ ମୋଦିଙ୍କ ଲାଗି ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ରାହୁଲଙ୍କ ଭବିଷ୍ୟତ ରାଜନୀତି ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ହେବ। ଶେଷ ଦିନରେ ମୋଦି ଆଜି ସାବରମତି ରିଭରଫ୍ରଣ୍ଟ୍‌ରୁ ଧାରୋଇ ଡ୍ୟାମ୍‌ ପର୍ଯ୍ୟନ୍ତ ଏକ ସାଗର ବିମାନରେ ଯାତ୍ରା କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଅହମଦାବାଦ୍‌ରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ଟି ଆସନରେ ବିପୁଳ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୬୧ଟି ଆସନରେ ସୀମିତ ରହିଥିଲା।
ମୋଦିଙ୍କୁ ରାହୁଲଙ୍କୁ ଚତୁର୍ଦ୍ଦଶ ପ୍ରଶ୍ନ : ଦଳିତ ପ୍ରସଙ୍ଗରେ ନିରବ କାହିଁକି
ଗୁଜରାଟରେ ବିକାଶ ପ୍ରସଙ୍ଗରେ ମୋଦିଙ୍କୁ ପ୍ରତ୍ୟହ ଗୋଟିଏ ଗୋଟିଏ ପ୍ରଶ୍ନ କରୁଥିବା ରାହୁଲ ଆଜି ମୋଦିଙ୍କୁ ତାଙ୍କ ଚତୁର୍ଦ୍ଦଶ ପ୍ରଶ୍ନରେ ପଚାରିଛନ୍ତି ଯେ ମୋଦି ଦଳିତଙ୍କ ପ୍ରସଙ୍ଗରେ ନିରବ କାହିଁକି। ଦଳିତଙ୍କ ବିରୋଧରେ ରାଜ୍ୟରେ ବଢ଼ୁଥିବା ଅନ୍ୟାୟ ବିରୋଧରେ ମୋଦି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ୨୨ ବର୍ଷର ବିଜେପି ଶାସନ ଭିତରେ ଦଳିତମାନେ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର