ଗୁଜରାଟ ନିର୍ବାଚନ:ମୋଦି, ରାହୁଲଙ୍କ ରୋଡ୍‌ ସୋ’କୁ ପୁଲିସ୍‌ର ନା

ଅହମଦାବାଦ୍‌: ଗୁଜରାଟ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଗାମୀ ୧୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ରାଜନୀତି ସରଗରମ ରହିଛି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧୀ ପ୍ରତ୍ୟହ ପ୍ରଚାର ମଇଦାନରେ ଲଢ଼େଇ ଜାରି ରଖିଛନ୍ତି। ତେବେ ଆସନ୍ତା ୧୨ ତାରିଖ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅହମଦାବାଦ୍‌ ସହରରେ ଉଭୟଙ୍କର ପ୍ରସ୍ତାବିତ ରୋଡ୍‌ ସୋ’କୁ ପୁଲିସ ଅନୁମତି ନଦେବା ଚର୍ଚ୍ଚାର ବିଷୟ ହୋଇଛି।
ଉଲ୍ଲେଖ ଥାଉ କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ୩ଟି ସ୍ଥାନରେ ଜନସମାବେଶକୁ ଉଦ୍‌ବୋଧନ ଦେଇଥିବା ବେଳେ ରାହୁଲ ମଧ୍ୟ ୪ଟି ସ୍ଥାନରେ ମାରାଥନ ସମାବେଶ କରିଛନ୍ତି। ତେବେ ଡିସେମ୍ବର ୧୪ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିବସ ୧୨ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ଅହମଦାବାଦ୍‌ ସହରରେ ରୋଡ୍‌ ସୋ’ କରିବାକୁ ଯୋଜନା କରିିଥିଲେ। ଏଥିଲାଗି ଉଭୟ ବିଜେରପି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ଅହମଦାବାଦ୍‌ ପୁଲିସଠାରୁ ଅନୁମତି ଲୋଡ଼ାଯାଇଥିଲା। ମାତ୍ର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାରଣ ଦର୍ଶାଇ ଅହମଦାବାଦ୍‌ ପୁଲିସ ଆଜି ଉଭୟଙ୍କ ରୋଡ୍‌ ସୋ’ ଲାଗି ଅନୁମତି ଦେଇନାହାନ୍ତି।

ସମ୍ବନ୍ଧିତ ଖବର