ଗୁଜରାଟ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଅପରାଧ ପୃଷ୍ଠଭୂମିର ୧୩୭ ପ୍ରାର୍ଥୀ

ଅହମଦାବାଦ: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ୯୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୭ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ରହିଛି। ପ୍ରାର୍ଥୀପତ୍ର ଦାଖଲ କରିଥିବା ୯୨୩ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣରୁ ଏହା ଜଣାଯାଇଛି। ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ’ ଏବଂ ‘ଗୁଜରାଟ ଇଲେକ୍ସନ ଓ୍ଵାଚ୍‌’ ଦ୍ୱାରା ହୋଇଥିବା ଏହି ବିଶ୍ଳେଷଣରୁ ଜଣାଯାଇଛି ଯେ ୧୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଏବଂ ଅପହରଣ ପରି ଗୁରୁତର ଅପରାଧିକ ମାମଲା ରହିଛି। ଦଳ ଭିତ୍ତିକ ବିଶ୍ଳେଷଣରୁ ଜଣାଯାଇଛି ବିଜେପିର ୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅପରାଧିକ ମାମଲା ସାମ୍ନା କରୁଛନ୍ତି ଏବଂ କଂଗ୍ରେସ ଅପରାଧିକ ରେକର୍ଡ ଥିବା ୨୦ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି। ୮ ଜଣ ପ୍ରାର୍ଥୀ ହତ୍ୟା ଉଦ୍ୟମ ମାମଲା ସାମ୍ନା କରୁଥିବାବେଳେ ୩ ଜଣ ଅପହରଣ ମାମଲା ଏବଂ ଜଣେ ପ୍ରାର୍ଥୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବା ଏକ ଏନଜିଓ ରିପୋର୍ଟରୁ ଜଣାଯାଇଛି। ତେବେ ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ପୂର୍ବତନ ଜେଡିୟୁ ବିଧାୟକ ଛୋଟୁ ବାସବାଙ୍କ ପୁଅ ମହେଶ ବାସବାଙ୍କ ବିରୋଧରେ ସର୍ବାଧିକ ୨୪ଟି ଅପରାଧିକ ମାମଲା ରହିଥିବା ଜଣାଯାଇଛି। ଏଥି ମଧ୍ୟରେ ଦୁଇଟି ହତ୍ୟା ଏବଂ ଗୋଟିଏ ହତ୍ୟା ଉଦ୍ୟମ ମାମଲା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର