ଚର୍ଚ୍ଚାରେ ଗୁଜରାଟ ଗାଦି: ସମ୍ଭାଳିବେ ରୁପାନି ନା ଆଉ କିଏ?

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ବିରୋଧୀ କଂଗ୍ରେସ ଠାରୁ କଡ଼ା ଟକ୍କର ପାଇ ସୁଦ୍ଧା ବିଜେପି ରେକର୍ଡ ଷଷ୍ଠ ଥର ଲାଗି ଶାସନ କ୍ଷମତା ବଜାୟ ରଖିଛି। ତେବେ ନିଜ ଦଖଲରେ ଥିବା ଅନେକ ଦୃଢ଼ ନିଶ୍ଚିତ ଆସନକୁ ଚଳିତ ନିର୍ବାଚନରେ ହରାଇ ବିଜେପି ଏବେ ସେଠାକାର ନେତୃତ୍ୱରେ କିଛି ତ୍ରୁଟିବିଚ୍ୟୁତି ରହିଥିବା ଅନୁମାନ କରୁଛି। ସୁତରାଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ବିଜୟ ରୁପାନି ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷେ, ରୁପାନିଙ୍କ ବିକଳ୍ପ ଭାବେ ଏକ ଲୋକପ୍ରିୟ ଚେହେରାକୁ ଦଳ ଗାଦିରେ ବସାଇବା କଥା ବିଚାର କରୁଥିବା ଚର୍ଚ୍ଚା ହେଉଛି।
କହିବା ବାହୁଲ୍ୟ, ୨୦୧୨ ବିଧାନସଭା ନିର୍ବାଚନ ଏବଂ ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ହାସଲ କରିଥିବା ଭୋଟହାର ପାଖାପାଖି ସମାନ ରହିଛି। ତେବେ ଗତ ଥର ଅପେକ୍ଷା ଦଳ ୧୬ଟି ଆସନ ହରାଇ ବସିଛି। ତେଣୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବା ରାଜନୀତି ସମୀକ୍ଷକଙ୍କ ମତ। ଅବଶ୍ୟ ରୁପାନି ପଶ୍ଚିମ ରାଜକୋଟ ଆସନରୁ ବିଜୟ ଲାଭ କରି ନିଜ ପାଇଁ କିଛିଟା ଆଶ୍ୱସ୍ତି ଆଣିଛନ୍ତି। ତେବେ ତାଙ୍କ ସ୍ଥାନରେ ଅନ୍ୟତମ ଲୋକପ୍ରିୟ ଚେହେରା ତଥା କେନ୍ଦ୍ର ବୟନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମତି ଇରାନିଙ୍କୁ ଅଭିଷେକ କରାଇବା ପାଇଁ ବିଜେପି ନେତୃମଣ୍ଡଳୀ ବିଚାର କରୁଥିବା ନେଇ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି। କାରଣ ନିର୍ବାଚନ ଫଳାଫଳ ପରେ ପରେ ଦଳର କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସାଧାରଣ ଲୋକଙ୍କର ନିକଟତର ହେଲା ଭଳି ଜଣେ ଲୋକପ୍ରିୟ ମୁହଁ ଖୋଜୁଥିବା ପରୋକ୍ଷରେ ଇସାରା ଦେଇଛନ୍ତି। ସେ ଦୃଷ୍ଟିରୁ ସ୍ମୃତିଙ୍କ ନାମ ପ୍ରଥମେ ଆସୁଥିବା କୁହାଯାଉଛି। ତାଙ୍କର ବଳିଷ୍ଠ ନେତୃତ୍ୱ ସାଙ୍ଗକୁ ଗୁଜରାଟୀ ଓ ଇଂରାଜୀ ଭାଷା ଉପରେ ଦଖଲ ଏବଂ କେନ୍ଦ୍ରୀୟ ନେତୃତ୍ୱ ସହ ରହିଥିବା ନିବିଡ଼ତା ହିଁ ତାଙ୍କୁ ଏହି ପଦବି ପାଇଁ ଯୋଗ୍ୟତମ ପ୍ରାର୍ଥୀ ଭାବେ ବିଚାର କରାଯାଉଥିବା ଆଲୋଚନା ହେଉଛି। ତେବେ ଏ ସମ୍ପର୍କରେ ସ୍ମୃତିଙ୍କୁ ପଚରାଯିବାରେ ସେ ଏଥିପାଇଁ ଦାବିଦାର ନଥିବା କହିଛନ୍ତି।
ସେହିପରି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାର ହାସଲ କରିବା ପାଇଁ ସ୍ମୃତିଙ୍କ ପରେ କେନ୍ଦ୍ରରେ ଥିବା ସଡ଼କ ପରିବହନ, ରାଜପଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମାନୁଷ ଏଲ୍‌ ମାଣ୍ଡବ୍ୟ ଦ୍ୱିତୀୟ ପସନ୍ଦ ଭାବେ ଉଭା ହୋଇଛନ୍ତି। ସୌରାଷ୍ଟ୍ର ଅଞ୍ଚଳର ଜଣେ ପଟିଦାର ଥିବା ମାଣ୍ଡବ୍ୟ କୃଷକମାନଙ୍କର ଅତି ଲୋକପ୍ରିୟ ନେତା ଭାବେ ପରିଗଣିତ। ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟପାଳ ବାଦୁଭାଇ ଭାଲାଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚା ଚାଲିଥିବା ଜଣାଯାଇଛି। ପୂର୍ବରୁ ଗୁଜରାଟ ବିଧାନସଭାର ବାଚସ୍ପତି ରହିବା ସହ ଅର୍ଥ, ଶ୍ରମ ଏବଂ ନିଯୁକ୍ତି ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ଭାଲାଙ୍କ ମୁଣ୍ଡରେ ମଧ୍ୟ ସୁନା କଳସ ଢଳାଯିବାର ସମ୍ଭାବନା ରହିଛି। ତେବେ କେନ୍ଦ୍ରୀୟ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି।
ଅପରପକ୍ଷେ, ଫଳାଫଳ ଘୋଷଣା ପରେ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ଅରୁଣ ଜେଟ୍‌ଲି ଦେଇଥିବା ମନ୍ତବ୍ୟରୁ ରୁପାନିଙ୍କୁ ହଟାଯିବା ସମ୍ଭାବନା ଶୂନ ବୋଲି କେହି କେହି ବିଚାର କରୁଛନ୍ତି। ରାଜ୍ୟରେ ପାଞ୍ଚ ଥର କ୍ଷମତା ଧରି ରହିଥିବା ସରକାରଙ୍କ ବିରୋଧରେ ସ୍ୱାଭାବିକ ଭାବେ ଆସିବାକୁ ଥିବା ଶାସନ ବିରୋଧୀ ସ୍ରୋତକୁ ପ୍ରତିହତ କରି ୪୯ ପ୍ରତିଶତ ଭୋଟ ହାତେଇଥିବା ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଲୋକପ୍ରିୟ ବୋଲି ଜେଟଲି କହିଥିଲେ।

ସମ୍ବନ୍ଧିତ ଖବର