ବେଙ୍ଗାଲୁରୁ: ପାଦତଳେ ବସି ଜଣେ ବନ୍ଧୁକଧାରୀ ବସି ପ୍ୟାଣ୍ଟ୍ରୁ କାଦୁଅ ପୋଛୁଥିବା ଦୃଶ୍ୟ ମଙ୍ଗଳବାର ଦିନ ଭାଇରାଲ୍ ହେବା ପରେ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ ସମାଲୋଚନାର ସରବ୍ୟ ହୋଇଛନ୍ତି। କିନ୍ତୁ, ଉପମୁଖ୍ୟମନ୍ତ୍ରୀ ଏଥିରେ ନିର୍ବିକାର ରହି ସମାଲୋଚନାକୁ ହେୟଜ୍ଞାନ କରିଛନ୍ତି।
ସହର ଇନ୍ସ୍ପେକ୍ସନ୍ କରିବାକୁ ଦ୍ୱିତୀୟ ଦିନରେ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ ପରମେଶ୍ୱର ଉଲ୍ସୂର ଅନ୍ତର୍ଗତ ୟେଲାମ୍ମା କୋଲି ଷ୍ଟ୍ରିଟ୍କୁ ଯାଇଥିଲେ। ବାଇଗଣୀ କୁର୍ତ୍ତା ଓ ଧଳା ପ୍ୟାଣ୍ଟ୍ ପିନ୍ଧି ସେ କାଦୁଅ ପାଣି ଭରା ରାସ୍ତାରେ ଚାଲି ଚାଲି ସେ ବିବିଏମ୍ପି ଅଧିକାରୀମାନଙ୍କୁ ନର୍ଦ୍ଦମା ସଫା କରିବାକୁ କହିଥିଲେ। ନର୍ଦ୍ଦମାରେ ଆବର୍ଜନା ଫିଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ସେ ଜଣେ ଲୋକ ନିୟୋଜିତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ମନ୍ତ୍ରୀଙ୍କ ସାଙ୍ଗରେ ଯାଉଥିବା ଅନ୍ୟମାନେ ଦେଖିଲେ ତାଙ୍କ ଲୁଗାପଟାରେ କାଦୁଅ ଲାଗିଗଲାଣି।
ସ୍ଥାନୀୟ କର୍ପୋରେଟର୍ ମମତା ସରବଣାଙ୍କ ସ୍ୱାମୀ ପୋଷାକ ସଫା କରିଦେବାକୁ ଚେଷ୍ଟା କରୁଥିଲେ କିନ୍ତୁ, ମନ୍ତ୍ରୀ ନାହିଁ କରି ବନ୍ଧୁକଧାରୀଙ୍କୁ କହିଥିଲେ। ସେ ପାଣି ଆଣି କାଦୁଅ ଧୋଇ ଦେଇଥିଲା।
ଏ ଘଟନା ଇଲେକ୍ଟ୍ରୋନିକ୍ ମିଡିଆ ବାଲା ରେକର୍ଡ କରି ନେଇ ସଙ୍ଗେ ସଙ୍ଗେ ପ୍ରସାରିତ କରି ଦେଇଥିଲେ। ଫଳରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ପରମେଶ୍ୱର କହନ୍ତି: ମୋ ଟିମ୍ ସହ ମୁଁ ଅହର୍ନିଶ କାମ କରୁଥିବାରୁ ତାଙ୍କୁ ମୋ ସମ୍ପ୍ରସାରିତ ପରିବାରର ଅଂଶ ବୋଲି ବିଚାର କରେ। ସେମାନେ ମୋ ବଳ ଏବଂ ସେମାନଙ୍କୁ ମୋ କ୍ଷମତାବଳରେ ଦୁର୍ବ୍ୟବହାର କରୁଛି ବୋଲି କହିବା ମତେ ବାଧୁଛି। ସ୍ୱତଃସ୍ଫୂର୍ତ୍ତ ଭାବେ ସେମାନେ ମତେ ସାହାଯ୍ୟ କରନ୍ତି। ୟା’ ଉପରେ ଗୁରୁତ୍ୱ ଦେବା ଅନୁଚିତ।