କାବୁଲରେ ଶିଖ୍ ଧାର୍ମିକ ସମାରୋହରେ ବନ୍ଧୁକଧାରୀଙ୍କ ଗୁଳିଚାଳନା, ୪ ମୃତ

କାବୁଲ (ଆଫଗାନିସ୍ତାନ): ବୁଧବାର ସକାଳେ କାବୁଲର ପୁରାତନ ସହରର କେନ୍ଦ୍ରସ୍ଥଳରେ ଥିବା ଆଫଗାନିସ୍ତାନ ଶିଖ୍ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପାସନାସ୍ଥଳରେ ଚାଲିଥିବା ଏକ ଧାର୍ମିକ ସମାରୋହରେ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି । ଏଥିରେ ଅନ୍ୟୁନ ଚାରିଜଣ ବ୍ୟକ୍ତି ନିହତ ହୋଇଥିବା କଥା ଜଣେ ଶିଖ୍ ସାଂସଦ କହିଛନ୍ତି ।

ଉକ୍ତ ଗୁରୁଦ୍ୱାର ମଧ୍ୟରେ ଥାଇ ଜଣେ ଉପାସକ ସହାୟତା ନିମନ୍ତେ ତାଙ୍କ ନିକଟକୁ ଫୋନ୍ କରିଥିବା କଥା ସାଂସଦ ନରିନ୍ଦ୍ର ସିଂହ ଖାଲସା କହିଛନ୍ତି । ଆକ୍ରମଣ ସମୟରେ ସେଠାରେ ପ୍ରାୟ ୧୫୦ଜଣ ଉପାସକ ଥିବା କଥା ସେ ସୂଚନା ଦେଇଛନ୍ତି ।

ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟ କହିଛି ଯେ ବୁଧବାର ଆକ୍ରମଣ ସମୟରେ ପୁଲିସ ଘଟଣାସ୍ଥଳରେ ଥିବାରୁ ତୁରନ୍ତ ମୁକାବିଲା କରିଥିଲା । ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି ।

Image Source: India Today

ଆଜି ସକାଳ ୭ : ୪୫ରେ (କାବୁଲ ସମୟ) ଆକ୍ରମଣକାରୀମାନେ ଶୋର୍ ବାଜାରରେ ଥିବା “ଧରମଶାଳା’ରେ ଆକ୍ରମଣ କରିଥିଲେ । ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିକ ଅରିଆନ୍ କହିଛନ୍ତି ଯେ ଧରମଶାଳା ମଧ୍ୟରେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ପ୍ରବେଶ କରି ନିରାପତ୍ତା ବଳଙ୍କ ସହ ଲଢ଼େଇ କରିଥିଲେ । ଘଟଣାସ୍ଥଳକୁ ଅଧିକ ନିରାପତ୍ତା ବଳଙ୍କୁ ପଠାଯାଇଛି । ଉପାସନା ସ୍ଥଳର ପ୍ରଥମ ମହଲାକୁ ଖାଲି କରାଯାଇ ଗୁଡ଼ାଏ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଉକ୍ତ ଗୃହରେ ଅଟକି ରହିଯାଇଥିଲେ । ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି ।

ଏକଦା କାବୁଲର ଶୋର ବାଜାରରେ କେତେଗୁଡ଼ାଏ ଗୁରୁଦ୍ୱାର ଥିଲା କିନ୍ତୁ, ୧୯୮୦ ଦଶକରେ ହୋଇଥିବା ଲଢ଼େଇ ସମୟରେ ସେସବୁକୁ ଧ୍ୱଂସ କରାଯାଇଥିଲା ।

ସମ୍ବନ୍ଧିତ ଖବର