ପିଲାର ଡେଙ୍ଗୁ ଚିକିତ୍ସା ବାବଦରେ ୧୬ ଲକ୍ଷ ଟଙ୍କା ଚାର୍ଜ କଲା ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌

ନୂଆଦିଲ୍ଲୀ: ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣେ ଆଠ ବର୍ଷିୟ ବାଳକର ୨୧ ଦିନ ଚିକିତ୍ସା ବାବଦ ଖର୍ଚ୍ଚ ପାଇଁ ଗୁରୁଗ୍ରାମର ଏକ ଡାକ୍ତରଖାନା ତା’ ପରିବାରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଚାର୍ଜ କରିଛି। ପରେ ଅବଶ୍ୟ ସେ ପିଲାଟି ମରିଯାଇଥିଲା।

ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲ୍‌ ସେ ପରିବାର ଠାରୁ ଗୁଡ଼ାଏ ଅର୍ଥ ଶୋଷି ନେବା ପରେ ସେଠାରୁ ପିଲାଟିକୁ ଭିନ୍ନ ଏକ ଡାକ୍ତରଖାନାକୁ ନିଆ ଯାଇଥିଲା।

ଆଠ ବର୍ଷିୟ ବାଳକର ବାପା କହନ୍ତି: ମୋ ପିଲା ହସ୍‌ପିଟାଲ୍‌ରେ ୨୧ ଦିନ ରହିଥିଲା। ହସ୍‌ପିଟାଲ୍‌ ଆମକୁ ୧୫. ୮୮ ଲକ୍ଷ ଟଙ୍କାର ବିଲ୍‌ ଦେଇଛି। ଟଙ୍କା ପାଇଁ ଆମକୁ ଲୋକମାନଙ୍କୁ ଅନୁରୋଧ କରିବାକୁ ପଡ଼ିଥିଲା। ଚିକିତ୍ସା ନାଁ’ରେ ହସ୍‌ପିଟାଲ୍‌ ଆମ ଠାରୁ ଲୁଟ୍‌ କରିଛି।

ସେ ଆହୁରି କହିଛନ୍ତି: ସେଠାରେ ଆଉ ଅଧିକ ସମୟ ରଖା ଯାଇପାରିବ ନାହିଁ ବୋଲି ମେଦାନ୍ତ ହସ୍‌ପିଟାଲ୍‌ ଜାଣି ପାରିବା ପରେ ପିଲାକୁ ସରକାରୀ ଡାକ୍ତରଖାନାକୁ ନେଇ ଯିବାକୁ ସେମାନେ କହିଲେ। ତେଣୁ ଆମେ ପିଲାକୁ ସେଠାକୁ ନେଇଥିଲୁ।

ଘଟଣା ଜଣାପଡ଼ିବା ପରେ ଶୁକ୍ରବାର ଦିନ ଏକ ଅଭିଯୋଗ ରେଜିଷ୍ଟ୍ରି କରାଯାଇଛି।

ଗୁରୁଗ୍ରାମ ପୁଲିସ ମୁଖପାତ୍ର କହନ୍ତି: ଆମେ ସଦର ଥାନାରେ ଅଭିଯୋଗ ଗ୍ରହଣ କରିଛୁ। ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ ବିରୋଧରେ ଏଥିରେ ଅଭିଯୋଗ କରାଯାଇଛି।
ଗତ ସେପ୍ଟେମ୍ବର ମାସରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ତିନି ବର୍ଷୀୟା ବାଳିକା ଆଦ୍ୟା ୧୫ ଦିନ ଧରି ଫୋର୍ଟିସ୍‌ ମଲ୍ଟି ସୁପର୍‌-ସ୍ପେସିଆଲିଟି ହସ୍‌ପିଟାଲ୍‌ରେ ରହିବା ପରେ ମୃତ୍ୟୁ ବରଣ କରିଥିଲା। ତା’ର ଚିକିତ୍ସା ବାବଦରେ ହସ୍‌ପିଟାଲ୍‌ ୧୬ ଲକ୍ଷ ଟଙ୍କା ବିଲ୍‌ ଦେବାରୁ ବିବାଦ ଉପୁଜି ଥିଲା।

ସମ୍ବନ୍ଧିତ ଖବର