ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଗୁରୁଗ୍ରାମରେ ମସଜିଦକୁ ବନ୍ଦ କଲା ପ୍ରଶାସନ

ଗୁରୁଗ୍ରାମ : ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ଗୁରୁଗ୍ରାମ ମ୍ୟୁନିସିପାଲ କର୍ପୋରେସନ ଏକ ମସଜିଦକୁ ସିଲ କରିଦେଇଛି । ମସଜିଦଟି ଉକ୍ତ ଅଂଚଳରେ ଥିବା ଏକ ଭାରତୀୟ ବାୟୁ ସେନାର ଅସ୍ତ୍ରଶସ୍ତ୍ର ଡିପୋର ଅତି ନିକଟବର୍ତ୍ତି ଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ମଧ୍ୟ ଏହି ମସଜିଦର ଲାଉଡସ୍ପିକର ଦ୍ୱାରା ଶାନ୍ତି ନଷ୍ଟ ହେଉଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଗୁରୁଗାଁଓ ମ୍ୟୁନିସିପାଲ କର୍ପୋରେସନର କମିଶନର ୟଶପାଲ ଯାଦବ କହିଛନ୍ତି ଯେ ମାନ୍ୟବର ପଂଜାବ-ହରିୟାନା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ବାୟୁ ସେନାର ଅସ୍ତ୍ରଶସ୍ତ୍ର ଡିପୋର ୩୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କରାଯାଇପାରିବ ନାହିଁ । କିନ୍ତୁ ମସଜିଦଟି ଏହି ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁଥିଲା । ଏଣୁ ଏହାକୁ ସିଲ କରାଯାଇଛି । ଅନ୍ୟପକ୍ଷରେ ମୁସଲିମ ବର୍ଗର ଏକ ପ୍ରତିନିଧିମଣ୍ଡଳ କମିଶନରଙ୍କୁ ଭେଟି ଏହାର ପ୍ରତିବାଦ ଜଣାଇଛନ୍ତି । ହିନ୍ଦୁ ସଂପ୍ରଦାୟର ଚାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର