ହାଫିଜ୍‌ର ଗୃହବନ୍ଦୀ ମିଆଦ ପୁଣି ବଢ଼ିବ!

ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତଥା ଜମାତ୍‌-ଉଦ୍‌-ଦାଓ୍ଵା ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ଆଉ ଅଧିକ ଦିନ ଗୃହବନ୍ଦୀ କରି ରଖିବା ପାଇଁ କରିଥିବା ଆବେଦନକୁ ପାକିସ୍ତାନ ପ୍ରତ୍ୟାହାର କରିନେବାର ମାତ୍ର ଦୁଇ ଦିନ ପରେ ହାଫିଜ୍‌ର ନଜରବନ୍ଦୀ ଅବଧି ବଢ଼ାଇବା ପାଇଁ ପୁଣି ଆବେଦନ କରିଛି।
ଆତଙ୍କବାଦ ନିୟନ୍ତ୍ରଣ ଆଇନ ବଳରେ ପାକିସ୍ତାନ ସରକାର ଗତ ଜାନୁଆରି ୩୧ରୁ ହାଫିଜ୍‌ ଏବଂ ଅନ୍ୟ ୪ ଜଣ ସହଯୋଗୀଙ୍କୁ ଲାହୋରରେ ଗୃହବନ୍ଦୀ କରି ରଖିଛନ୍ତି। ଲାହୋର ହାଇକୋର୍ଟକୁ ପାକିସ୍ତାନ ସରକାର ହାଫିଜ ବିରୋଧରେ କୌଣସି ପ୍ରମାଣ ଦେଇନଥିବା ବେଳେ ଗତ ୧୪ ତାରିଖରେ ଆତଙ୍କବାଦୀ ନିରୋଧ ଆଇନକୁ ପ୍ରତ୍ୟାହାର କରିନେଇଥିଲା। ହାଫିଜକୁ ଆଉ ଅଧିକ ଦିନ ଗୃହବନ୍ଦୀ କରି ନ ରଖିବାକୁ ବିଭିନ୍ନ ଆତଙ୍କବାଦୀ ସଂଗଠନର ଚାପ ଆଗରେ ପାକିସ୍ତାନ ସରକାର ଏକ ରକମ ମୁଣ୍ଡ ନୁଆଁଇଥିଲେ। ତେବେ ସର୍ବସାଧାରଣ ସୁରକ୍ଷା ଆଇନ ବଳରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ହାଫିଜ୍‌ର ଗୃହବନ୍ଦୀ ମିଆଦ ବଢ଼ାଇବା ପାଇଁ ଆଜି ପୁଣି ଆବେଦନ କରିଛନ୍ତି। ହାଫିଜ୍‌ର ଅଟକ ମିଆଦ ଆସନ୍ତା ୨୪ ତାରିଖ ଯାଏ ବଳବତ୍ତର ଥିବା ବେଳେ ଆସନ୍ତା ୧୯ ତାରିଖରେ ପଞ୍ଜାବ ସରକାର କାହିଁକି ଏହି ମିଆଦକୁ ବଢ଼ାଇବାକୁ ଚାହୁଛନ୍ତି ବୋଲି ଲାହୋର କୋର୍ଟକୁ ଜଣାଇବେ।

ସମ୍ବନ୍ଧିତ ଖବର