ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା:ଗିରଫ ହେଲା ହାଫିଜ୍‌ ସୟିଦ

ଇସଲାମାବାଦ୍‌ : ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଏବଂ ଜେୟୁଡି (ଜମାତ ଉଦ୍‌ ଦାୱା) ମୁଖ୍ୟ ହାଫିଜ ସୟିଦ  ଲାହୋରରୁ ଗିରଫ ହୋଇଛି। ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ହାଫିଜ୍‌କୁ ଗିରଫ କରିବା ପରେ ନ୍ୟାୟିକ ରିମାଣ୍ଡ୍‌ରେ ଜେଲ୍‌ ପଠାଇ ଦିଆଯାଇଛି ବୋଲି ପଂଜାବ ପ୍ରଦେଶ ଅଧିକାରୀମାନେ କହିଛନ୍ତି। ହାଫିଜ୍‌ ବିରୋଧରେ ଅନେକ ମାମଲା ରହିଥିବା ବେଳେ ସେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଗିରଫ ହୋଇଥିବା ଜଣାପଡ଼ିଛି।  ହାଫିଜ୍‌ ଲାହୋ‌ରରୁ ଗୁର୍ଜନୱାଲାକୁ ଯାଉଥିବା ବେଳେ ରାସ୍ତାରେ ତାକୁ ଗିରଫ କରାଯାଇଛି ଏବଂ କୋଟ ଲାଖ୍‌ପଟ ଜେଲ୍‌ରେ ରଖାଯାଇଛି। ହାଫିଜ୍‌ ପରିଚାଳିତ ଜେୟୁଡି ଏଲଇଟି (ଲସ୍କର ଏ ତୋଏବା)ର ମୁଖ୍ୟ ସଂଗଠନ । ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଉଥିବା ପାକିସ୍ତାନ ଏବେ ଏଲଇଟି, ଜେୟୁଡି ଏବଂ ଅନ୍ୟ ଆତଙ୍କବାଦୀ ଅନୁଷ୍ଠାନ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହା କେବଳ ଲେଖାଦେଖାଣିଆ ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସିଟିଡି ଜେୟୁଡି ମୁଖ୍ୟ ଏବଂ ତା’ର ୧୨ ଜଣ ସହଯୋଗୀଙ୍କ ବିରୋଧରେ ୨୩ ମାମଲା ରୁଜୁ କରିଥିଲେ ମଧ୍ୟ ହାଫିଜ୍‌ର ଗିରଫଦାରୀକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।
ହାଫିଜ୍‌ ଗିରଫ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ କହିଛନ୍ତି ଯେ ୧୦ ବର୍ଷ ଧରି ଏହି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୋଜା ଚାଲିଥିଲା। ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌କୁ ଗିରଫ ପାଇଁ ୨ ବର୍ଷ ହେଲା ଆମେ ପ୍ରବଳ ଚାପ ସୃଷ୍ଟି କରିଥିଲୁ ଏବଂ ତାକୁ ଗିରଫ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର