ଲଜ୍ଜା: ଅସଦାଚରଣର ଶିକାର ନାବାଳିକାକୁ ‘ଶୁଦ୍ଧିକରଣ’ ନାମରେ ସଂପ୍ରଦାୟ ଲୋକେ କଲେ ଲଣ୍ଡା

ରାୟପୁର: ଅସଦାଚରଣର ଶିକାର ହୋଇଥିବା ଜନୈକା ୧୩ ବର୍ଷ ବୟସ୍କା ନାବାଳିକାକୁ ‘ଶୁଦ୍ଧିକରଣ ପ୍ରଥା’ ନାମରେ ତା’ର ସଂପ୍ରଦାୟର ଲୋକେ ଲଣ୍ଡା କରିବା ଘଟଣା ଏବେ ସମଗ୍ର ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ଅସଦାଚରଣକାରୀକୁ ପୋଲିସ୍‌ ସୋମବାର ଗିରଫ କରିଥିବା ବେଳେ ‘ଶୁଦ୍ଧିକରଣ ପ୍ରଥା’ ନାମରେ ଯେଉଁମାନେ ନାବାଳିକାଟିକୁ ଲଣ୍ଡା କରିଥିଲେ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ଗତ ଫେବ୍ରୁଆରି ୫ ତାରିଖରେ ଛତିଶଗଡ଼ର କାଓ୍ଵାର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଠାରୁ ୭୫ କିଲୋମିଟର ଦୂର କୁକ୍‌ଦୁର୍‌ ଥାନା ଅଧୀନସ୍ଥ ଏକ ଗ୍ରାମରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି, ଜିଲ୍ଲା ଏସ୍‌ପି ଲାଲ୍‌ ଉମେଦ୍‌ ସିଂହ।

ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଶ୍ରୀ ସିଂହ କହିଛନ୍ତି, ଗତ ଜାନୁଆରି ୨୧ ତାରିଖରେ ଏକ ନିର୍ମାଣଧୀନ ପ୍ରକଳ୍ପରେ କାମ କରିବାକୁ ଯାଇଥିବା ବେଳେ ସଂପୃକ୍ତା ନାବାଳିକାଟି ଅର୍ଜୁନ ଯାଦବ (୨୨) ନାମକ ଜଣେ ବ୍ୟକ୍ତି ଦ୍ୱାରା ଅସଦାଚରଣର ଶିକାର ହୋଇଥିଲା। ଘଟଣା ସଂପର୍କରେ ନାବାଳିକାଟି ତା’ ପିତାମାତାଙ୍କୁ କହିବା ପରେ ସେମାନେ ସ୍ଥାନୀୟ ଗ୍ରାମ ପଞ୍ଚାୟତରେ ଘଟଣା ସଂପର୍କରେ ଜଣାଇଥିଲେ। ପରଦିନ ପଞ୍ଚାୟତ ଅଭିଯୁକ୍ତ ଯାଦବକୁ ଡକାଇବା ସହ ତା’ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରି ମାମଲାର ରଫାଦଫା କରି ଦେଇଥିଲେ। ଅସଦାଚରଣର ଶିକାର ସଂପୃକ୍ତା ନାବାଳିକା ଓ ତା’ର ପରିବାର ଥିଲେ, ବଇଗା ଆଦିବାସୀ ସଂପ୍ରଦାୟର।

hindustantimes

ଏହି ଘଟଣାପରେ ଫେବ୍ରୁଆରି ୪ ତାରିଖ ଦିନ ବଇଗା ଆଦିବାସୀ ସଂପ୍ରଦାୟର ଏକ ସଭା ଡକା ଯାଇଥିଲା। ସେଠାରେ ଅସଦାଚରଣର ଶିକାର ହୋଇଥିବା ନାବାଳିକାର ପରିବାର ଲୋକଙ୍କୁ କୁହାଯାଇଥିଲା ଯେ ଅସଦାଚରଣ ଯୋଗୁ ନାବାଳିକାଟି ଅଶୁଦ୍ଧ ହୋଇଯାଇଛି। ତେଣୁ, ତା’ର ଶୁଦ୍ଧିକରଣ କରିବାକୁ ହେବ। ଆଉ, ଶୁଦ୍ଧିକରଣ ପାଇଁ ତାକୁ ଲଣ୍ଡା ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲା ତାଙ୍କ ସଂପ୍ରଦାୟର ମୁଖିଆ। ଏହାର, ପରଦିନ ନାବାଳିକାଟିର ମୁଣ୍ଡର ବାଳ ସବୁକୁ କାଟି ଦିଆଯିବା ସହ ଲଣ୍ଡା କରି ଦିଆଯାଇଥିଲା। ଖାଲି ଏତିକି ନୁହେଁ, ଏହି ଶୁଦ୍ଧିକରଣ ପାଇଁ ସଂପ୍ରଦାୟର ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରିବା ପାଇଁ ସୁଦ୍ଧା ନାବାଳିକାର ପରିବାରକୁ ପଡ଼ିଥିଲା ବୋଲି କହିଛନ୍ତି ଏସ୍‌ପି ଶ୍ରୀ ସିଂହ।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଏକ ପୋଲିସ୍‌ ଟିମ୍‌କୁ ପୀଡ଼ିତା ନାବାଳିକାର ଗାଁକୁ ପଠା ଯାଇଥିଲା। ଘଟଣାରେ ସତ୍ୟତା ଥିବା ଜଣା ପଡ଼ିବା ପରେ ପୋଲିସ୍‌ ଅଭିଯୁକ୍ତ ଅସଦାଚରଣକାରୀକୁ ସୋମବାର ଗିରଫ କରିଛି। ଏହାପରେ ନାବାଳିକାଟିକୁ ଲଣ୍ଡା କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୋଲିସ୍‌ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନାବାଳିକାଟିକୁ ଲଣ୍ଡା କରିବାରେ ୩ ଜଣ ମହିଳାଙ୍କ ସମେତ ୧୦ ଜଣ ସଂପୃକ୍ତ ଥିଲେ। ଏହି ଘଟଣାପରେ ସେମାନେ ସମସ୍ତେ ଏବେ ଫେରାର ହୋଇ ଯାଇଛନ୍ତି। ତେବେ, ସେମାନଙ୍କୁ ଖୁବ୍‌ ଶୀଘ୍ର ଗରିଫ କରିବା ପାଇଁ ପୋଲିସ୍‌ ପକ୍ଷରୁ ସମସ୍ତ ପ୍ରକାର ଉଦ୍ଦ୍ୟମ ଆରମ୍ଭ ହୋଇ ଯାଇଥିବା କହିଛନ୍ତି ଏସ୍‌ପି ଶ୍ରୀ ସିଂହ।

ସମ୍ବନ୍ଧିତ ଖବର