ହିଜ୍‌ବୁଲ ଆତଙ୍କବାଦୀ ସାଜିଲେ ଏସ୍‌ପିଓ

୮ଟି ବନ୍ଧୁକ ସହ ଫେରାର ହୋଇଥିଲେ

ଶ୍ରୀନଗର: ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ଜମ୍ମୁ-କଶ୍ମୀରର ବାସିନ୍ଦା ମିଶୁଥିବା ଏବେ ନୂଆ କଥା ହୋଇ ରହିନାହିଁ। ନିୟମିତ ଭାବେ ଏଭଳି ଘଟଣା ଘଟୁଛି। ଏମିତି କି ପୁଲିସ କର୍ମଚାରୀ ମଧ୍ୟ ଆତଙ୍କବାଦୀଙ୍କ ସହିତ ମିଶିବା ଘଟଣା ଦେଖିବାକୁ ମିଳିଛି। ଏକ ସଦ୍ୟ ଘଟଣାକ୍ରମେ ଜମ୍ମୁ କଶ୍ମୀରର ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସ୍‌ପିଓ) ନିକଟରେ ହିଜ୍‌ବୁଲ ଆତଙ୍କବାଦୀ ସଂଗଠନ‌େର ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଏକ ଫଟୋ ସୋସିଆଲ୍ ମିଡିଆ‌େର ଘୂରିବୁଲୁଛି। ଆଦିଲ୍ ବସିର ନାମକ ଏହି ଏସ୍‌ପିଓ କିଛି ଦିନ ତଳେ ୮ଟି ବନ୍ଧୁକ ଧରି ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ଏତଲା ମଧ୍ୟ ହୋଇଥିଲା। କିନ୍ତୁ ତାଙ୍କ ସଂପର୍କରେ ଆଉ କୌଣସି ଖୋଜଖବର ମିଳିନଥିଲା। ସୋସିଆଲ୍ ମିଡିଆରୁ ମିଳିଥିବା ଏକ ଫଟୋରେ ଆଦିଲ ୪ଜଣ ହିଜବୁଲ ଆତଙ୍କବାଦୀଙ୍କ ମଝିରେ ଏକ ନାଲି ରଙ୍ଗର ପୋଷାକ ପିନ୍ଧି ଠିଆ ‌େହାଇଛନ୍ତି। ହାତରେ ଦୁଇଟି ବନ୍ଧୁକ ଧରିଛନ୍ତି। ଏହି ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଆତଙ୍କବାଦୀଙ୍କ ସହିତ ଲଢ଼ିବା ପାଇଁ ଭାରତ ଏହାର ସେନାମାନଙ୍କୁ ସଶକ୍ତ କରିବା ଲାଗି ପଦ‌େକ୍ଷପ ଗ୍ରହଣ କରୁଥିବା ବେଳେ ଜଣେ ପୁଲିସ ଅଧିକାରୀ ହୋଇ ବି ଆଦିଲ ଆତଙ୍କବାଦୀ ସଂଗଠନ ସହ ମିଶିବା ପରିତାପର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଆଦିଲ୍ ପିଡିପି ବିଧାୟକ ଐଜାଜ୍ ଅହମ୍ମଦ ମିରଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେ କହିଥିଲେ, ଶନିବାର ବିଧାୟକ ଫେରିବାକୁ ଥିବାରୁ ତାଙ୍କୁ ଘର ସଫା କରିବାକୁ କୁହାଯାଇଛି। ଏହାପରେ ତାଙ୍କୁ ଘର ମଧ୍ୟରେ ପ୍ରବେଶ ଅନୁମତି ମିଳିଥିଲା। କିନ୍ତୁ ସେହିଦିନ ସନ୍ଧ୍ୟା ସୁଦ୍ଧା ସେ ୭ଟି ଏକେ-୪୭ ଏବଂ ବିଧାୟକ ଐଜାଜଙ୍କର ଲାଇେସନ୍ସଯୁକ୍ତ ପିସ୍ତଲ ନେଇ ପଳାଇଥିଲା। ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦିଲବାଗ୍ ସିଂହଙ୍କ କହିବାନୁଯାୟୀ ଆଦିଲ ଏକାକୀ ଏଭଳି କାର୍ଯ୍ୟ କରିପାରିନଥି‌େବ। ତାଙ୍କୁ ଏଥିରେ ପୁଲିସରେ ଥିବା କିଛି କର୍ମଚାରୀ ସହାୟତା କରିଥିବେ। ତେଣୁ ଏହା ଜମ୍ମୁ କଶ୍ମୀର ପୁଲିସ ପାଇଁ ଶୁଭଙ୍କର ନୁହେଁ ବୋଲି ‌େସ ଦର୍ଶାଇଥିଲେ। କିଛି ବର୍ଷ ହେବ ପୁଲିସ ଅଧିକାରୀ ସରକାରୀ ବନ୍ଧୁକ ଧରି ଫେରାର ହୋଇଯାଇ ଆତଙ୍କବାଦୀ ସଂଗଠନରେ ମିଶୁଥିବା ରିପୋର୍ଟ ପ୍ରକାଶ ପାଉଛି। କିନ୍ତୁ ପ୍ରଥମ ଥର ପାଇଁ ଏସ୍‌ପିଓ ଆଦିଲ ଅଧିକ ସଂଖ୍ୟକ ବନ୍ଧୁକ ନେଇ ଫେରାର ହୋଇଯାଇଛନ୍ତିି।

ସମ୍ବନ୍ଧିତ ଖବର