ମୋଦିଙ୍କ ଆକ୍ଷେପ ନେଇ ରାଜ୍ୟସଭାରେ ହଙ୍ଗାମା

ଲୋକସଭା ସୋମବାର ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିବସରେ ଆଜି ବିରୋଧୀ ଦଳ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି। ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ମାଗିବାକୁ ଜିଦ୍‌ରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଅଟଳ ରହିଥିଲେ। ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହୋଇପଡ଼ିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏକ ର‍୍ୟାଲିରେ କହିଥିଲେ ଯେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗୁଜରାଟ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ପାକ୍‌ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇ ମୋଦି ତାଙ୍କ ପଦର ଗରିମା ନଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରମାଣ ଦିଅନ୍ତୁ, ନଚେତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଥିଲେ। ଏହାକୁ ଏକ ଅତି ଗୁରୁତର ପ୍ରସଙ୍ଗ ଭାବେ ଦର୍ଶାଇ ଗୃହରେ ଧାରା ୨୬୭ ଅଧୀନରେ ଏ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ ନୋଟିସ୍‌ ଦେଇଥିଲା। ତେବେ ଏହାକୁ ନେଇ ହଙ୍ଗାମା ତୀବ୍ର ହେବାକୁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।

ରାଜ୍ୟସଭାରେ ଆଜି ବିଦ୍ରୋହୀ ଜେଡିୟୁ ନେତା ଶରଦ ଯାଦବ ଏବଂ ଅଲି ଅନଓ୍ଵର ଅନ୍‌ସାରିଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗକୁ ନେଇ ମଧ୍ୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଅତ୍ୟନ୍ତ ତରବରିଆ ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଆଜି ଲୋକସଭାରେ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକାର୍ଯ୍ୟ ଆରମ୍ଭରେ ଦିବଂଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲ। ଏହାପରେ ନବନିର୍ବାଚିତ ସାଂସଦ ସୁନୀଲ ଝାକର ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନୂଆ ସଦସ୍ୟଙ୍କ ପରିଚୟ କରାଇଥିଲେ। ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାର ପ୍ରଥମ ମହିଳା ମହାସଚିବ ସ୍ନେହଲତା ଶ୍ରୀବାସ୍ତବଙ୍କୁ ସଂସଦରେ ପରିଚୟ କରାଇଥିଲେ। ପୂର୍ବ ମହାସଚିବ ଅନୁପ ମିଶ୍ରାଙ୍କ ଅବସର ଗ୍ରହଣ ପରେ ଏହି ପଦରେ ତାଙ୍କୁ ନୂତନ ନିଯୁକ୍ତି ମିଳିଛି। ଶ୍ରଦ୍ଧାଞ୍ଜଳି ଓ ପରିଚୟ ପର୍ବ ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଘୋଷଣା କରାଯାଇଥିଲା।

ସଦସ୍ୟତା ରଦ୍ଦ ସତ୍ତ୍ୱେ: ଶରଦଙ୍କୁ ମିଳୁଥିବା ସୁବିଧା ଜାରି ରହିବ

ନୂଆଦିଲ୍ଲୀ: ଶରଦ ଯାଦବଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ ହେବା ମାମଲାରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ ଏକ ରାୟରେ କହିଛନ୍ତି। ତେବେ ଜଣେ ସାଂସଦ ଭାବେ ଶରଦଙ୍କୁ ମିଳୁଥିବା ଭତ୍ତା ଓ ଅନ୍ୟ ସୁବିଧା ସୁଯୋଗ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ଚୂଡ଼ାନ୍ତ ରାୟ ଆସିବ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା, ବଙ୍ଗଳା ଏବଂ ଚିକିତ୍ସା ସୁବିଧା ଆଜି ଜାରି ରଖିବାକୁ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧ ରେ ହେବ। ଏହି ମାମଲାରେ ଶରଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କୁ ପକ୍ଷଭୁକ୍ତ କରିଥିବାରୁ କୋର୍ଟ ଏ ବାବଦରେ ଶରଦଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ୪ ଡିସେମ୍ବରରେ ନାଇଡ଼ୁ ଜେଡିୟୁର ବିଦ୍ରୋହୀ ସାଂସଦ ଯାଦବ ଏବଂ ଅଲୀ ଅନଓ୍ଵରଙ୍କ ସଦସ୍ୟ ପଦ ରଦ୍ଦ କରିଥିଲେ।

ସମ୍ବନ୍ଧିତ ଖବର