ବିଜେପି ଉପରେ ଭାରି ପଡ଼ିବେ, ହାର୍ଦ୍ଦିକ-ଅଳ୍ପେଶ-ଜିଗ୍ନେଶ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଦିନକୁ ଦିନ ସରଗରମ ହୋଇ ଚାଲିଥିବା ବେଳେ ବିଜେପିର ସଙ୍କଟ ମଧ୍ୟ ବଢ଼ିବାରେ ଲାଗିଛି। ଯୁବ ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରେ ସାମିଲ ହୋଇ ବିଜେପିର ସଙ୍କଟ ବଢ଼ାଇ ଦେଇଛନ୍ତି। ଅଳ୍ପେଶଙ୍କ ପଛରେ ଲକ୍ଷାଧିକ ଓବିସି ଯୁବକ କାମ କରିବାକୁ ତୟାର ରହିଥିବା ବେଳେ ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ଓ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ମଧ୍ୟ ବିଜେପି ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିବେ ବୋଲି ଜଳଜଳ ହୋଇ ଦିଶିଲାଣି। କଂଗ୍ରେସ ଏହି ତିନି ଯୁବ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେବା ସହ ବିଜେପି ବିରୋଧରେ ଶକ୍ତିଶଳୀ ମୋର୍ଚ୍ଚା ଗଠନ ପାଇଁ ଆହ୍ଵାନ ଦେଇଛି। ଅଳ୍ପେଶ କଂଗ୍ରେସରେ ଯୋଗଦେଇଥିବା ବେଳେ ହାର୍ଦ୍ଦିକ ଓ ଜିଗ୍ନେଶ ବିଜେପି ବିରୋଧରେ ଜନମତ ସୃଷ୍ଟି କରି କରି କଂଗ୍ରେସକୁ ସମର୍ଥନ କରିବେ ବୋଲି ସଙ୍କେତ ଦେଇସାରିଛନ୍ତି।
ହାର୍ଦ୍ଦିକ ପଟେଲ
ହାର୍ଦ୍ଦିକ ପଟେଲ ୨୦୧୫ରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ପରେ ଚର୍ଚ୍ଚାକୁ ଆସିଥିଲେ। ପଟିଦାର ଆନ୍ଦୋଳନ ସମୟରେ ହୋଇଥିବା ବ୍ୟାପକ ହିଂସା ପାଇଁ ହାର୍ଦ୍ଦିକଙ୍କୁ ଦାୟୀ କରାଯାଇଥିଲା ଏବଂ ତାଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ଉପରେ ଯୋଜନାବଦ୍ଧ ଆକ୍ରମଣ ପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା। ହାର୍ଦ୍ଦିକ ଏବେ ପଟିଦାର ଅମାନତ ଆନ୍ଦୋଳନର ସଂଯୋଜକ ଅଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ଦୃଢ଼ ବିରୋଧ କରି ଆସୁଛନ୍ତି। ହାର୍ଦ୍ଦିକଙ୍କ ଦାବିକୁ ରାଜ୍ୟ ବିଜେପି ସରକାର ଗ୍ରହଣ କରିବାକୁ ପ୍ରସ୍ତତ ନହେବାରୁ ସରକାର ବିରୋଧରେ ସେ ଲଗାତାର ଆନ୍ଦୋଳନ ଜାରି ରଖିଛନ୍ତି। ଗୁଜରାଟରେ ୧୨ ପ୍ରତିଶତ ପଟିଦାର ଥିବା ବେଳେ ନିର୍ବାଚନରେ ଏହି ସଂପ୍ରଦାୟର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହେବେ କି ନାହିଁ ସେ ନେଇ ସସ୍‌୍‌ପେନ୍‌୍‌ସ ଜାରି ରହିଛି। ସେ ଅହମଦାବାଦର ଏକ ହୋଟେଲରେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିବା ଖବର ଚର୍ଚ୍ଚାରେ ରହିଛି ।
ଜିଗ୍ନେଶ ମେଓ୍ଵାନି
ଜିଗ୍ନେଶ ଗୁଜରାଟର ଜଣେ ଟାଣୁଆ ଦଳିତ ଯୁବନେତା। ରାଷ୍ଟ୍ରୀୟ ଦଳିତ ଅଧିକାର ମଂଚର ସେ ସଂଯୋଜକ ଅଛନ୍ତି। ଗୁଜରାଟରେ ଦଳିତଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଜିଗ୍ନେଶ ରାଜ୍ୟ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ନିକଟରେ ଜିଗ୍ନେଶଙ୍କ ଏକ ସଭାରେ ୨୦ ହଜାର ଦଳିତଙ୍କ ସମାଗମ ହୋଇଥିଲା । ଦଳିତ-ମୁସ୍‌ଲିମ ଏକତା ପାଇଁ ଆହ୍ଵାନ ଦେଉଥିବା ଜିଗ୍ନେଶ କଂଗ୍ରେସରେ ଯୋଗଦେବା ନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନଥିଲେ ମଧ୍ୟ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ସଂକଳ୍ପ ନେଇଥିବାରୁ ଏହା କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହେବ। ଗୁଜରାଟରେ ଦଳିତ ଜନସଂଖ୍ୟା ୭ ପ୍ରତିଶତ ଏବଂ ସେମାନଙ୍କ ବିରୋଧ ବିଜେପିର ଗଣିତ ଓଲଟପାଲଟ କରିଦେଇପାରେ।
ଅଳ୍ପେଶ ଠାକୁର
ଯୁବ ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରେ ସାମିଲ ହେବା ପରଠାରୁ ବିଜେପିର ଚିନ୍ତା ବଢ଼ିଯାଇଛି। ଅଳ୍ପେଶ ଠାକୁର ପଟିଦାର ଆନ୍ଦୋଳନକୁ ବିରୋଧ କରି ଆସୁଥିଲେ ମଧ୍ୟ ବିଜେପିର ଘୋର ବିରୋଧୀ ଭାବେ ଜଣାଶୁଣା। ଗୁଜରାଟର ବିକାଶ ମଡେଲକୁ ବିରୋଧ କରି ଆସୁଥିବା ଅଳ୍ପେଶ ରାହୁଲ ଗାନ୍ଧୀଙ୍କର ଏବେ ଜଣେ ଦୃଢ଼ ପ୍ରଶଂସକ ପାଲଟିଛନ୍ତି। ଗୁଜରାଟରେ ଓବିସି ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ ଥିବାରୁ କଂଗ୍ରେସରେ ଅଳ୍ପେଶ ସାମିଲ ହେବା ବିଜେପି ପାଇଁ ଘୋର ଚିନ୍ତାର କାରଣ ହୋଇଛି ।

ସମ୍ବନ୍ଧିତ ଖବର