ଦାୟିତ୍ୱ ଗ୍ରହଣ କଲେ ନୂତନ ଉପାଧ୍ୟକ୍ଷ: ମୋଦୀଙ୍କ ପ୍ରଶଂସା, ବିରୋଧୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜ୍ୟସଭା  ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ହରିବଂଶ ନାରାୟଣ ସିଂହଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତାମାନେ ତାଙ୍କୁ କେତେକ ପରାମର୍ଶ ଦେଇ ଗୃହରେ ବିରୋଧୀ ଦଳ ପ୍ରତି ଅଧିକ ନରମ ରହିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିଥିବା ହରିବଂଶଙ୍କଠାରୁ ସଂସଦର ମାନନୀୟ ସଦସ୍ୟମାନେ ଅନେକ କିଛି ଶିକ୍ଷା ଲାଭ କରିପାରିବେ।  ବିରୋଧୀ ଦଳ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ମଧ୍ୟ ସଂସଦୀୟ ଗରିମା ପାଳନ ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ହରିବଂଶ ଉପାଧ୍ୟକ୍ଷ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ କରି କହିଥିଲେ ଯେ ଆଜି ନିର୍ବାଚନରେ କେବଳ ହରି ହିଁ ହରିଙ୍କୁ ଦେଖିବାକୁ ମିଳିଥିଲା। ସଂସଦ ଉପରେ ହରିକୃପା ଜାରି ରହିବ ବୋଲି ସେ କହିଥିଲେ। ଆଜି ହରିବଂଶ ଯେତେବେଳେ ପ୍ରଥମ ଥର ପାଇଁ ନିଜ ଆସନ ଗ୍ରହଣ କରିବାକୁ ପହଞ୍ଚିଥିଲେ ସେତେବେଳେ ତାଙ୍କର ଗୋଟିଏ ବାକ୍ୟ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ତାଙ୍କୁ ଅଭିନନ୍ଦନ ଜଣାଇ  ଅପରାହ୍ନ ୧ଟା ବେଳେ ଆସନରେ ବସିବା ପାଇଁ ଆମନ୍ତ୍ରଣ କରିଥିଲେ। ଉପାଧ୍ୟକ୍ଷ ହରିବଂଶ ପହଞ୍ଚିବା କ୍ଷଣି ନାଇଡୁ ଆସନ ଛାଡ଼ିଥିଲେ। ଆସନରେ ବସିବା ପରେ ହରିବଂଶ ସମସ୍ତଙ୍କୁ ଅଭିବାଦନ ଜଣାଇ କହିଥିଲେ, ‘ଗୃହକାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଉଛି।’ ଏହା କହିବା ପରେ ଗୃହରେ ଉପସ୍ଥିତ ସମସ୍ତ ସାଂସଦ ହସିବାକୁ ଆରମ୍ଭ କରିଥିଲେ। ଏମିତି କି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସି ଉଠିଥିଲେ।

ଏହାପୂର୍ବରୁ ଉପାଧ୍ୟକ୍ଷ ନିର୍ବାଚିତ ହେବାପରେ ତାଙ୍କ ଉଦ୍‌୍‌ବୋଧନରେ ହରିବଂଶ କହିଥିଲେ ମୁଁ ସଭାପତି, ପ୍ରଧାନମନ୍ତ୍ରୀ, ସରକାରୀ ଦଳ ନେତା, ବିରୋଧୀ ଦଳ ନେତା, ବିଭିନ୍ନ ଦଳର ନେତା ଏବଂ ସଂସଦର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମସସ୍ତେ ମୋ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞ ବୋଲି ସେ କହିଥିଲେ। ସଂସଦରେ ବିତର୍କର ଇତିହାସ ବହୁତ ପୁରୁଣା ଏବଂ ସୁସ୍ଥ ବିତର୍କ ଜାରି ରହିବା ଉଚିତ ବୋଲି ସେ କହିଥିଲେ। ମହାତ୍ମା ଗାନ୍ଧୀ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିବା ପରାମର୍ଶ ସର୍ବଦା ମନେ ରଖିବାକୁ ହେବ। ହରିବଂଶ କହିଥିଲେ ‘ମୁଁ ଦାରିଦ୍ର୍ୟ ଦେଖିଛି, ଗଂଗା ଏବଂ ଘାଘରାରେ ବନ୍ୟା ଦେଖିଛି। ଗଛ ତଳେ ପଢ଼ି ବଡ଼ ହୋଇଛି।’

ସାମ୍ବାଦିକରୁ ରାଜ୍ୟସଭା ଉପାଧ୍ୟକ୍ଷ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ରହୁଥିବା ହରିବଂଶ ନାରାୟଣ ସିଂହ ଆଜି ଏନ୍‌୍‌ଡିଏର ପ୍ରାର୍ଥୀ ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏପ୍ରିଲ ୨୦୧୪ରେ ହରିବଂଶଙ୍କୁ ରାଜ୍ୟସଭା ପାଇଁ ବିହାରରୁ ନିର୍ବାଚିତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨୦୨୦ରେ ପୂର୍ତ୍ତି ହେବ। ହରିବଂଶଙ୍କ ଜନ୍ମ ୩୦ ଜୁନ୍‌ ୧୯୫୬ରେ ବିହାରର ଛପରା ଜିଲ୍ଲାର ଦଲଜିତ ଟୋଲାରେ ହୋଇଥିଲା। ସେ ତାଙ୍କର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା ଗ୍ରାମସ୍ଥିତ ସରକାରୀ ସ୍କୁଲରେ ସଂପନ୍ନ କରିଥିଲେ। ଏହାପରେ ଜେପି ଇଣ୍ଟର କଲେଜ ସେବାଶ୍ରମରୁ ୧୯୭୧ରେ ମାଟ୍ରିକ୍‌ ପାସ୍‌ କରି ଉଚ୍ଚଶିକ୍ଷା ପାଇଁ ବାରଣାସୀ ଆସିଥିଲେ। ସେଠାରେ ସେ ୟୁପି କଲେଜ ଅଫ୍‌ ଇଣ୍ଟରମିଡିଏଟ ଏବଂ ଏହାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହା ସହିତ ହରିବଂଶ ସାମ୍ବାଦିକତାରେ ମଧ୍ୟ ଡିପ୍ଲୋମା ହାସଲ କରିଥିଲେ। ସେ ଟାଇମ୍‌୍‌ସ ଗ୍ରୁପ୍‌୍‌ର ସାପ୍ତାହିକ ପତ୍ରିକା ଧର୍ମଯୁଗରେ ୧୯୮୧ ପର୍ଯ୍ୟନ୍ତ ଉପ ସଂପାଦକ ଦାୟିତ୍ୱ ତୁଲାଇ ଥିଲେ। ୧୯୮୧ରୁ ୮୪ ପର୍ଯ୍ୟନ୍ତ ସେ ହାଇଦ୍ରାବାଦ ଏବଂ ପାଟନାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିଥିଲେ। ତେବେ ୧୯୮୪ରେ ସେ ସାମ୍ବାଦିକତା କ୍ଷେତ୍ରକୁ ପୁଣି ଫେରିଥିଲେ ଏବଂ ୧୯୮୯ରେ ଆନନ୍ଦ ବଜାର ପତ୍ରିକା ଗ୍ରୁପ୍‌ର ରବିବାର ସାପ୍ତାହିକ ପତ୍ରିକାରେ ସହଯୋଗୀ ସଂପାଦକ ରହିଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ରାଜନୈତିକ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିଥିଲେ। ଚନ୍ଦ୍ରଶେଖର ଇସ୍ତଫା ଦେବା ସଂପର୍କରେ ସେ ପୂର୍ବରୁ ଜାଣିଥିଲେ ମଧ୍ୟ ସାମାନ୍ୟତମ ସୂଚନା ସେ ନିଜ ଖବରକାଗଜକୁ ମଧ୍ୟ ଦେଇନଥିଲେ। ସେ ନିଜ ପଦର ଗରିମାକୁ ବଜାୟ ରଖି ଗୋପନୀୟତା ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର