ସବୁ କାଗଜପତ୍ର ଥାଇ ମଧ୍ୟ ଦିଲ୍ଲୀରେ ୪୦ଲକ୍ଷ ଟଙ୍କାର ଗାଡ଼ି ହାର୍ଲେ ଡେଭିଡ୍‌ସନ୍‌ର କଟିଲା ଚାଲାଣ!

ନୂଆଦିଲ୍ଲୀ : ଦିଲ୍ଲୀରେ ସୌଖୀନ ଓ ଦାମୀ ଗାଡ଼ିରେ ଗଣା ଯାଉଥିବା ହାର୍ଲେ ଡେଭିଡ୍‌ସନର ମାଲିକଙ୍କ ଉପରେ ଦିଲ୍ଲୀ ଟ୍ରାଫିକ ପୁଲିସ ବିନା କାରଣରେ ଜରିମାନା ଲଗାଇଥିବା ଜଣା ପଡ଼ିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦିଲ୍ଲୀର ଟ୍ରାଫିକ ପୁଲିସ ବେଆଇନ୍‌ ଭାବରେ ଏଭଳି କରିଥିବା ନେଇ ଗାଡ଼ିର ମାଲିକ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ମାଲିକଜଣଙ୍କ ପୂରା ଘଟଣା ଜଣାଇଛନ୍ତି । ନିଜ ପୋଷ୍ଟରେ ଗାଡ଼ିର ସବୁ କାଗଜପତ୍ର ଥାଇ ମଧ୍ୟ ଟାର୍ଗେଟ ପୂରା କରିବା ପାଇଁ ଟ୍ରାଫିକ ପୁଲିସ ଶବ୍ଦ ପ୍ରଦୂଷଣ କରୁଥିବା କହି ଚାଲାଣ କାଟିଥିବା ଲେଖିଛନ୍ତି ଯୁବକ । ଚାଳକ ରାଘବ ସ୍ୱାତୀ ପୂର୍ଥୀ ଏଭଳି ସଙ୍ଗୀନ ଅଭିଯୋଗ ଦିଲ୍ଲୀର ଏସିପିଙ୍କ ଉପରେ ଲଗାଇଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସ ନିଜର ପକ୍ଷ ରଖି ନାହିଁ ।

ରାଘବ କରିଥିବା ପୋଷ୍ଟ ଅନୁଯାୟୀ, ତିଲକ ନଗର ଅଞ୍ଚଳରେ କମ ବେଗରେ ଗାଡ଼ି ଚଳାଉଥିଲେ ରାଘବ । ପାଖରେ ଗାଡ଼ିର ସମସ୍ତ କାଗଜପତ୍ର ଥିବା ସହ ହେଲ୍‌ମେଟ ମଧ୍ୟ ପିନ୍ଧିଥିଲେ । ଏହା ସହ ଗାଡ଼ିରେ ଲାଗିଥିବା ସ୍ପିକରରେ ସେ କମ ଶବ୍ଦରେ ଗୀତ ମଧ୍ୟ ଶୁଣୁଥିଲେ । ତିଲକ ନଗର ଟ୍ରାଫିକ ସିଗ୍‌ନାଲ ଗ୍ରୀନ୍‌ ହେବା ପରେ ରାଘବ ଆଗକୁ ବଢ଼ିଥିଲେ । ଏହି ସମୟରେ ପଛପଟୁ ଜଣେ ପୁଲିସ୍‌ କାର୍‌ ତାଙ୍କୁ ଅଟକିବାକୁ କହିବା ସହ ଗାଡ଼ିର କାଗଜପତ୍ର ଦେବାକୁ କହିଥିଲେ । ରାଘବ ଗାଡ଼ିର କାଗଜପତ୍ର ଦେଖାଇବା ପରେ ତାଙ୍କୁ ପୁଲିସ ଷ୍ଟେସନରେ ପହଞ୍ଚିବାକୁ କହିଥିଲେ ତିଲକ ନଗରର ଏସିପି । ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ପୁଲିସକର୍ମୀମାନେ ରାଘବଙ୍କ ଉପରେ ପାଟି କରିବା ଆରମ୍ଭ କରିବା ସହ ଗାଡ଼ିରେ ସ୍ପିକର କାହିଁକି ଲଗାଇ ଗୀତ ଶୁଣୁଥିଲ ବୋଲି କହିଥିଲେ । ଯାହା ପରେ ଗାଡ଼ିରେ ଯାହା ବି ଲାଗିଛି, ତାହା ମୁଁ ନୁହେଁ କମ୍ପାନୀ ହିଁ ଲଗାଇ ବଜାରକୁ ଛାଡ଼ୁଛି ବୋଲି ପୁଲିସକୁ କହିଥିଲେ ରାଘବ । କିନ୍ତୁ ସବୁ ପରେ ତିଲକ ନଗରର ଏସିପି ଓ ଏସ୍‌ଆଇ ରାଘବଙ୍କ ନାଁରେ ଚାଲାଣ କାଟିଥିଲେ ବୋଲି ପୋଷ୍ଟରୁ ସ୍ପଷ୍ଟ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର