ହରିୟାଣାରେ ଝୁଲା ସରକାର

କାମ କଲାନି ମୋଦି ମ୍ୟାଜିକ୍, ୪୦ ଆସନରେ ବିଜେପି ସୀମିତ, କଂଗ୍ରେସକୁ ୩୦, କିଙ୍ଗ ମେକର ଭୂମିକାରେ ଜେଜେପି 

ହରିୟାଣା : ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରି ବିଜେପି, ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି । ତେବେ ହରିଆଣାରେ ଗଣିତ ଓଲଟପାଲଟ ହୋଇଯାଇଛି । ନିର୍ବାଚନ ଫଳାଫଳ କହୁଛି, ହରିୟାଣାରେ ଝୁଲା ସରକାର ଗଠନ ହେବ। ଅର୍ଥାତ୍ କେଉଁ ଦଳକୁ ବି ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ । ବିଜେପିକୁ ୪୦ ଟି ସିଟ୍ ମିଳିଥିବା ବେଳେ କଂଗ୍ରେସକୁ ୩୦ଟି ସିଟ୍ ମିଳିଛି । ଅନ୍ୟପଟେ ୧୦ଟି ଆସନରେ ବିଜୟୀ ହୋଇଛି ଜେଜେପି । ଫଳରେ ହରିୟାଣାରେ କିଙ୍ଗ ମେକର ସାଜିବ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି । ତେବେ ହରିୟାଣାରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।

ହରିୟାଣାରେ ସରକାର ଗଠନର ପ୍ରକ୍ରିୟା ବେଶ ରୋଚକ ହେବାରେ ଲାଗିଛି । ନିର୍ବାଚନୀ ପ୍ରଚାର ବେଳେ ‘ଅବକି ବାର୍ ୭୫ ପାର’ର ନାରା ଦେଇଥିବା ବିଜେପି ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବା ମଧ୍ୟ କାଠିକର ପାଠ ହୋଇପଡିଛି । ଭୋଟ ଗଣତି ଆରମ୍ଭ ହେବା ବେଳଠାରୁ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ଥିବା ବେଳେ ବିଜେପି ଓ କଂଗ୍ରେସ ୩୨-୩୫ ଆଗପଛ ହୋଇ ଚାଲିଥିଲେ । ଏପରିକି ଥରେ ଏମିତି ସମୟ ଆସିଥିଲା ଯେ ଉଭୟ ଦଳ ୩୫-୩୫ ଆସନରେ ଆଗୁଆ ରହିଥିଲେ । ହରିୟାଣା ରାଜନୀତିରେ ଆଜି ଦିନ ସାରା ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ହରିୟାଣାରେ ଫେଲ୍ ମାରିଛି ଏଗଜିଟ ପୋଲର ପୂର୍ବାନୁମାନ । ବୁଥ୍ ବାହୁଡା ମତ ଅନୁସାରେ ହରିୟାଣାରେ ପୁଣି ଥରେ ସରକାର ଗଠନ କରିବାରେ ବିଜେପି ସଫଳ ହେବ ବୋଲି କୁହାଯାଇଥିଲା । କିନ୍ତୁ ଏଠାରେ ସବୁ ଗଣିତକୁ ପଛରେ ପକାଇଦେଇଛି କଂଗ୍ରେସ ।

ଭୋଟ ଗଣତି ବେଳେ ଆସୁଥିବା ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ଝୁଲା ବିଧାନସଭା ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏପରିସ୍ଥିତିରେ ମାତ୍ର ୧୦ମାସ ପୂର୍ବରୁ ଗଠିତ ଦୁଶ୍ୟନ୍ତ ଚୌଟାଲାଙ୍କ ଜେଜେପି କିଙ୍ଗ ମେକର ଭୂମିକାରେ ରହିପାରେ । କାରଣ ସରକାର ଗଠନ ପାଇଁ ଉଭୟ ବିଜେପି ଓ କଂଗ୍ରେସ, ଜେଜେପିର ସମର୍ଥନ ଲୋଡିପାରନ୍ତି ।

ଗୋଟିଏ ପଟେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଦଳକୁ ଏକାଠି ହେବାକୁ ଆହ୍ୱାନ ଦେଇଛି କଂଗ୍ରେସ । ଅପରପକ୍ଷରେ ଜେଜେପିର ସମର୍ଥନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ଯଦି ଦୁଶ୍ୟନ୍ତ ଚୌଟାଲା, କଂଗ୍ରେସ ସହ ହାତ ମିଳାନ୍ତି ତେବେ ଅନ୍ୟ ଦଳର ସମର୍ଥନ ସହ ମହାମେଂଟ ସରକାର ଗଠନ ହୋଇପାରେ । ବିଜେପିକୁ ଶାସନରୁ ଦୂରେଇ ରଖିବା ପାଇଁ କଂଗ୍ରେସ କର୍ଣ୍ଣାଟକ ମଡେଲର ସାହାରା ବି ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସରକାର ଗଠନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ହଲଚଲ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଘଂଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର