କଳା ବ୍ରାହ୍ମଣ ଅଶୁଭ ନା ବ୍ରାହ୍ମଣ କନ୍ୟା ? ଇଞ୍ଜିନିୟର ପଦ ପାଇଁ ପଚରାଯାଇଥିବା ଏହି ପ୍ରଶ୍ନକୁ ନେଇ ଜୋର ଧରିଲା ବିବାଦ

ଚଣ୍ଡିଗଡ଼ : ହରିୟାଣାର ଅର୍ବାନ ଡ଼େଭ୍‌ଲପ୍‌ମେଣ୍ଟ ଅଥରିଟିର ଜୁନିୟର ସିଭିଲ ଇଞ୍ଜିନିୟର ପଦ ପାଇଁ ଏପ୍ରିଲ ୧୦ରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ହରିୟାଣା କର୍ମଚାରୀ ଚୟନ ଆୟୋଗ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ପରୀକ୍ଷାର ପ୍ରଶ୍ନ ନମ୍ବର ୭୫କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହି ପ୍ରଶ୍ନ ବିଷୟରେ ଆଲୋଚନା ହେବା ପରେ ବ୍ରାହ୍ମଣ ସମାଜ ଅଭିଯୋଗ ଆଣିଥିବା ସୂଚନା ମିଳିଛି । ପ୍ରଶ୍ନକୁ ନେଇ ଅଭିଯୋଗ ହେବା ପରେ ହରିୟାଣା କର୍ମଚାରୀ ଚୟନ ଆୟୋଗର ପରୀକ୍ଷକଙ୍କୁ ନୋଟିସ ଜାରି କରାଯାଇଛି।

ସୂଚନା ମୁତାବକ, ଏପ୍ରିଲ ୧୦ରେ ହରିୟାଣା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜୁନିୟର ସିଭିଲ ଇଞ୍ଜିନିୟର ପଦ ପାଇଁ କରାଯାଇଥିବା ପରୀକ୍ଷାରେ ବ୍ରାହ୍ମଣ ସମାଜକୁ ଅପମାନ କଲା ଭଳି ପ୍ରଶ୍ନ ପଚରା ଯାଇଥିଲା । ପ୍ରଶ୍ନ ନମ୍ବର ୭୫ରେ ପଚରା ଯାଇଥିଲା କି କାହାକୁ ହରିୟାଣାରେ ଅଶୁଭ ବୋଲି ଧରାଯାଏ? ଏହାର ୪ଟି ବିକଳ୍ପ ରଖା ଯାଇଥିଲା । ପ୍ରଥମ ବିକଳ୍ପଟି ଘଡ଼ି ,ଦ୍ୱିତୀୟଟି ଇନ୍ଧନ ଭରା ଡ଼ବା ଥିବା ବେଳେ ତୃତୀୟ ବିକଳ୍ପ ଥିଲା କଳା ବ୍ରାହ୍ମଣକୁ ଭେଟିବା ଏବଂ ଚତୁର୍ଥରେ ଥିଲା ବ୍ରାହ୍ମଣ କନ୍ୟା ଦେଖିବା। ଏହି ପ୍ରଶ୍ନ ପତ୍ରର ସ୍କ୍ରିନ୍‌ସଟ୍‌ ନିଆଯାଇ ସୋସିଆଲ ମିଡ଼ିଆରେ ଛଡ଼ାଯିବା ପରେ ବ୍ରାହ୍ମଣ ସମାଜ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।

Times of India

ଘଟଣା ନେଇ ଅସନ୍ତୋଷ ବଢ଼ୁଥିବା ଦେଖି ହରିୟାଣା କର୍ମଚାରୀ ଚୟନ ଆୟୋଗ ତରଫରୁ କ୍ଷମା ପ୍ରାର୍ଥନା କରାଯାଇଛି । ଏହି ପ୍ରଶ୍ନ ଦ୍ୱାରା କାହାର ଭାବନାକୁ କଷ୍ଟ ପହଞ୍ଚାଇବାର ଆମର ଉଦେଶ୍ୟ ନ ଥିଲା ବୋଲି ଅୟୋଗ ତରଫରୁ କୁହାଯାଇଛି । ଆୟୋଗ ତରଫରୁ କ୍ଷମା ପ୍ରର୍ଥନା କରାଯାଇଥିଲେ ମଧ୍ୟ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଥିବା ଦେଖିବାକୁ ମିଳିଛି । ସବୁ ଦଳ ବ୍ରାହ୍ମଣ ସମାଜ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିବା ବେଳେ ଏହା ଏକ ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର