ରେଓ୍ଵାରି (ହରିୟାଣା): ହରିୟାଣାର ରେଓ୍ଵାରି ଜିଲ୍ଲାରେ ଆଜି (ରବିବାର) ଅପରାହ୍ଣରେ ଘଟିଥିବା ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ହରିୟାଣାର ରେଓ୍ଵାରି ଜିଲ୍ଲା ଦେଇ ଯାଇଥିବା ଜୟପୁର- ଦିଲ୍ଲୀ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦିଲ୍ଲୀ ଅଭିମୁଖେ ଖୁବ୍ ଦ୍ରୁତ ଗତିରେ ଯାଉଥିବା ଗୋଟିଏ ଏସ୍ୟୁଭି ଗାଡ଼ି ପ୍ରଥମେ ରୋଡ୍ ଡିଭାଇଡରରେ ବାଡ଼େଇ ହୋଇଯିବା ପରେ ରାସ୍ତା କଡ଼ରେ ଥିବା ଗୋଟିଏ ଗଛ ଦେହରେ ଧକ୍କା ଖାଇଥିଲା। ଗଛ ସହିତ ଧକ୍କା ଖାଇବା ପରେ ଗାଡ଼ିଟି ପୁନର୍ବାର ରାସ୍ତା ଉପରକୁ ଚାଲି ଆସିବା ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ପିଟି ହୋଇ ଯାଇଥିଲା।
#Haryana: 6 people dead, 1 injured in a collision between a truck and a car in Rewari. pic.twitter.com/qpZF5Bbl5e
— ANI (@ANI) September 9, 2018
ଏହି ଦୁର୍ଘଟଣାରେ ୩ ଜଣ ପୁରୁଷଙ୍କ ସମେତ ଦୁଇ ଜଣ ମହିଳା ଓ ଅନ୍ୟ ଜଣେ ଶିଶୁଙ୍କ ମୁତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ରୋହତକର ପିଜିଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡ଼ିଟି ଜୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିର ଡ୍ରାଇଭର ଗାଡ଼ି ଉପରୁ ନିଜ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।