ଭାରତ କଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ମେଣ୍ଟ ନାଟୋର ସଦସ୍ୟ ହୋଇଯାଇଛି ? ପାକିସ୍ତାନ ଓ ଚୀନକୁ ଏହି ଚିନ୍ତା ଘାରିଛି

ନୂଆଦିଲ୍ଲୀ: ଭାରତ କଣ ଆମେରିକା ନେତୃତ୍ୱାଧୀନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ମେଣ୍ଟ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ର ସଦସ୍ୟ ହୋଇଯାଇଛି? ଏହି ପ୍ରଶ୍ନ କେବଳ ଆମ ଦେଶରେ ନୁହେଁ, ଆମର ପ୍ରମୁଖ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନକୁ ମଧ୍ୟ ଘାରିଛି । କାରଣ ଭାରତ ଆମେରିକା ସହ ଯେଉଁ ସବୁ ଚୁକ୍ତି ଓ ବୁଝାମଣା କରିଛି ସେହି ସୌଭାଗ୍ୟ କେବଳ ନାଟୋ ରାଷ୍ଟ୍ରମାନଙ୍କୁ ମିଳିଥାଏ । ଏଣୁ ବାହାରକୁ ଭାରତ ନାଟୋର ସଦସ୍ୟ ହୋଇନଥିଲେ ମଧ୍ୟ ଭିତରିଆ ଆମେରିକାର ପ୍ରମୁଖ ସାମରିକ ସହଯୋଗୀରେ ପରିଣତ ହୋଇଯାଇଛି ।

ଗତକାଲି ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ ବୈଠକ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ ଓ ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓଙ୍କ ମଧ୍ୟରେ ହୋଇଛି । ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବିଷୟ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି । କିନ୍ତୁ ସ୍ୱାକ୍ଷରିତ ହୋଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେଲା କମକାସା ବା କମ୍ୟୁକେସନ କମ୍ପାଟିବିଲିଟି ଏଣ୍ଡ ସିକ୍ୟୁରିଟି ଆଗ୍ରିମେଣ୍ଟ । ଏହି ଚୁକ୍ତି ଆମେରିକା ନିଜର ଘନିଷ୍ଠ ସାମରିକ ସହଯୋଗୀଙ୍କ ସହ କରିଥାଏ । ଏହା ଫଳରେ ଭାରତ ଆମେରିକାଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ପାଇପାରିବ ଓ ଗୁଇନ୍ଦା ଓ ଲଢୁଆ ଡ୍ରୋନ (ପ୍ରିଡେଟର ଡ୍ରୋନ) ପାଇପାରିବ । କେବଳ ଏତିକି ନୁହେଁ ଭାରତ ଆମେରିକାର ଅତି ଗୋପନୀୟ ସାମରିକ ଯୋଗାଯୋଗ ଲିଙ୍କ (ଲିଙ୍କ-୧୬) ସହ ସଂଯୁକ୍ତ ହୋଇପାରିବ । ଏହି ଲିଙ୍କ-୧୬ଟି କେବଳ ନାଟୋ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ । ଏସିଆରେ କେବଳ ଦକ୍ଷିଣ କୋରିଆ ଏହି ସୁବିଧା ପାଉଛି । ଅନ୍ୟପକ୍ଷରେ ଉଭୟ ପକ୍ଷ ମଧ୍ୟରେ ୨ଟି ହଟଲାଇନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ହଟଲାଇନଟି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ ଓ ୨ୟ ହଟଲାଇନଟି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସଙ୍କ ମଧ୍ୟରେ ପ୍ରତିଷ୍ଠା କରାଯିବ ।

ସମ୍ବନ୍ଧିତ ଖବର