ପିଡିପିକୁ ପୁଣି ଏକ ଝଟ୍‌କା , ଦଳ ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପିଡିପିକୁ ପୁଣି ଏକ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ହସିବ୍‌ ଦ୍ରବୁ ପିଡିପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଟ୍ଵିଟରରେ ଇସ୍ତଫା ଘୋଷଣା କରିଛନ୍ତି। ଗତ ନଭେମ୍ବର ୨୧ ତାରିଖରେ ଇମରାନ୍‌ ଅନ୍‌ସାରି ପିଡିପି ଛାଡ଼ିଥିଲେ। ଏବେ ହସିବ୍‌ ଦ୍ରବୁ ପିଡିପି ଛାଡିବା ପରେ ଦଳ ଭିତରେ ହଟଚମଟ ସୃଷ୍ଟି ହୋଇଛି।
ସେ ନିଜର ଇସ୍ତଫା ପତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟଦ୍‌ଙ୍କୁ ମନେ ପକାଇ ଲେଖିଛନ୍ତି ଯେ ମୁଫ୍‌ତି ତାଙ୍କୁ ରାଜନୀତିକୁ ଆଣିଥିଲେ। ସେ ହିଁ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। ହସିନ୍‌ ଦ୍ରବୁ ଭାଜପା ଓ ପିଡିପି ମେଣ୍ଟ ପ୍ରସ୍ତୁତିର ଜଣେ ମୁଖ୍ୟ ବ୍ୟକ୍ତି ଥିଲେ। ସେ ହିଁ ଉଭୟ ଦଳ ଭିତରେ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଓ ସୁରୁଖୁରୁରେ ମେଣ୍ଟ ସରକାର ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଦ୍ରବୁ ଜଣେ ଅର୍ଥନୀତିଜ୍ଞ ଭାବେ ବେଶ୍‌ ଜଣାଶୁଣା। ରାଜନୀତିରେ ଯୋଗ ଦେବା ଆଗରୁ ସେ ଏକ ଦୈନିକ ବ୍ୟବସାୟ ଖବର କାଗଜର ସଂପାଦକ ଥିଲେ। ଖାଲି ସେତିକି ନୁହେଁ,ସେ ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କ୍‌ର ଅଧ୍ୟକ୍ଷ ଭାର ମଧ୍ୟ ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର