ସ୍ୱାମୀଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଲେ ହସିନ୍‌ ଜାହାଁ: ୨୨ ବର୍ଷରୁ କମ୍‌ ଦଳରେ ଖେଳିବା ପାଇଁ ବୟସ ଜାଲିଆତି କରିଥିଲେ ସାମି

ନୂଆଦିଲ୍ଲୀ: କ୍ରିକେଟିୟର ମହମ୍ମଦ ସାମି ଓ ତାଙ୍କର ପତ୍ନୀ ହସିନ୍‌ ଜାହାଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳହ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଛି। ସ୍ୱାମୀ ମହମ୍ମଦ ସାମିଙ୍କ ବିରୋଧରେ ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗ ଆଣିବାରେ ଲାଗିଛନ୍ତି ପତ୍ନୀ ହସିନ୍‌ ଜାହାଁ।

ଏହି କ୍ରମରେ ହସିନ୍‌ ଆଜି ସାମିଙ୍କ ବିରୋଧରେ ଯେଉଁ ନୂଆ ଅଭିଯୋଗ ଆଣିଛନ୍ତି, ତାହା ଅତ୍ୟନ୍ତ ସଙ୍ଗିନ୍‌। ଆଣିଥିବା ନୂତନ ଅଭିଯୋଗରେ ହସିନ୍‌ କହିଛନ୍ତି ଯେ ବେଙ୍ଗଲର ୨୨ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ରେ ସାମିଲ ହେବା ପାଇଁ ତାଙ୍କ ବୟସକୁ କମାଇ ଜନ୍ମ ତାରଖ ସଂପର୍କରେ ଜାଲ ପ୍ରମାଣପତ୍ର ଦେଇଥିଲେ। ନିଜର ଏହି ଅଭିଯୋଗକୁ ପ୍ରମାଣିତ ଓ ସାବ୍ୟସ୍ତ କରିବା ପାଇଁ ସାମିଙ୍କ ପ୍ରକୃତ ବୟସ ଓ ଜନ୍ମ ତାରିଖ ଉଲ୍ଲେଖ ରହଥିବା ଡ୍ରାଇଭିଂ ଲାଇସେନ୍ସର ନକଲ ମଧ୍ୟ ଦେଖାଇଛନ୍ତି। ହସିନ୍‌ କହିଛନ୍ତି ଯେ ମହମ୍ମଦ ସାମି ତାଙ୍କର ବୟସ ୨୮ ବର୍ଷ ବୋଲି ବିସିସିଆଇ ଓ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ଙ୍କ ନିକଟରେ ମହଜୁଦ୍‌ ଥିବା ରେକର୍ଡ ପତ୍ରରେ ଦର୍ଶାଇଛନ୍ତି। ହେଲେ, ତାଙ୍କର ପ୍ରକୃତ ଜନ୍ମ ବର୍ଷ ହେଉଛି ୧୯୮୨ ବୋଲି ଦର୍ଶାଇଛନ୍ତି ହସିନ୍‌। ଏଥିସହ କହିଛନ୍ତି ଯେ ବେଙ୍ଗଲର ୨୨ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ରେ ସାମିଲ ହେବା ପାଇଁ ସାମି ତାଙ୍କ ବୟସକୁ କମ୍‌ ଦର୍ଶାଇବା ପାଇଁ ଜନ୍ମ ତାରିଖ ସଂପର୍କରେ ଜାଲି ପ୍ରମାଣ ଦେଇଛନ୍ତି।

ସମ୍ବନ୍ଧିତ ଖବର