ଦୁଃଖ ପ୍ରକାଶ କଲା ସିବିଆଇ

ରାତିଅଧରେ ବିଚାରପତିଙ୍କ ଘରେ ଅନୁପ୍ରବେଶ ମାମଲା

ନୂଆଦିଲ୍ଲୀ : ରାତିଅଧରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିବା ସିବିଆଇ କ୍ଷମା ପ୍ରାର୍ଥନା କରିଛି। ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସତ୍ୟପାଠ ଦାଖଲ କରି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସଂସ୍ଥାର ଅଧିକାରୀମାନେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ସଫେଇ ଦେବା ସହିତ ସଂପୃକ୍ତ ବିଚାରପତିଙ୍କୁ ସାକ୍ଷାତ କରି ଦୁଃଖ ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଘଟଣାପାଇଁ ସିବିଆଇ କ୍ଷମା ପ୍ରାର୍ଥନା କରିସାରିଥିବା ନେଇ ଅବଗତ କରିଥିଲେ। ଏହାପରେ ଖଣ୍ଡପୀଠ କହିଥିଲେ କ୍ଷମା ମାଗି ସାରିବାପରେ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ କରି ଅଧ୍ୟାୟକୁ ଶେଷ କରାଯାଇପାରିବ। ତେବେ ଯଦି ସମ୍ପୃକ୍ତ ବିଚାରପତିଙ୍କର କିଛି ଆପତ୍ତି ଥାଏ ସେଦିଗକୁ ମଧ୍ୟ ବିଚାର କରାଯିବାର ଆବଶ୍ୟକତା ଅଛି। ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ବରିଷ୍ଠ ଓକିଲ ଆର.ଏମ୍‌. ପଟ୍ଟନାୟକ କହିଥିଲେ ଯେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ଅନୁଧ୍ୟାନ କରାଯିବାପରେ ହିଁ ବାର ଆସୋସିଏସନର ମତ ଜଣାଇ ଦିଆଯିବ। ଅନ୍ୟପକ୍ଷରେ ଗତ ୧୩ ତାରିଖରେ ମାମଲାକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନକୁ ଯେଉଁ ନୋଟିସ ଜାରି କରାଯାଇଥିଲା ତାହା ଆସୋସିଏସନକୁ ବିଳମ୍ବରେ ହସ୍ତଗତ ହୋଇଥିବାରୁ ଏହାର ଜବାବ ଦାଖଲ ପାଇଁ ସେ ଖଣ୍ଡପୀଠଙ୍କଠାରୁ ସମୟ ଲୋଡ଼ିଥିଲେ। ଖଣ୍ଡପୀଠ ମାମଲାର ଶୁଣାଣି ୨ ସପ୍ତାହ ପରେ ହେବ ବୋଲି କହିଥିଲେ।

ସତ୍ୟପାଠରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ବିଚାରପତି ଆଇଏମ୍‌ କୁଦ୍ଦୁଶିଙ୍କ ଠିକଣା ଭାବି ଅଧିକାରୀମାନେ ବିଚାରପତି ସି.ଆର. ଦାସଙ୍କ ବାସଭବନକୁ ଭୁଲରେ ଯାଇଥିଲେ। ଏସଂପର୍କରେ ଅଧିକାରୀମାନେ ଡିଜିପି ଏବଂ ଏସପିଙ୍କୁ ଭେଟି ଜଣାଇଥିଲେ। ସେପ୍ଟେମ୍ବର ୨୧ ତାରିଖରେ ସିବିଆଇ ଅଧିକାରୀ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ତାଙ୍କ ଅଫିସ ବଙ୍ଗଳାରେ ଭେଟି ସଫେଇ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କୁ ଭେଟିବାପରେ ବିଚାରପତି ସିଆର ଦାସଙ୍କୁ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କ ଅଫିସରେ ଭୁବନେଶ୍ୱର ସିବିଆଇ ଏସପି ସାକ୍ଷାତ କରି କୌଣସି ଉଦ୍ଦେଶ୍ୟମୂଳନ ଭାବେ ସିବିଆଇ ତାଙ୍କ ବାସଭବନରେ ପ୍ରବେଶ କରିନଥିଲା ବୋଲି କହିଥିଲେ। ସିବିଆଇ ଏସ୍‌ପି ବିଚାରପତି ସିଆର ଦାସଙ୍କ ସମ୍ମୁଖରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ତେବେ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ସିବିଆଇ ରେଜିଷ୍ଟ୍ରାର ଜେନେରାଲ ଓଡ଼ିଶା ହାଇକୋର୍ଟଙ୍କୁ ପତ୍ର ଲେଖି ଦୁଃଖ ପ୍ରକାଶ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର