କୋଚି: ଗୋଟାଏ ପିଲାର ନାଁ ଦେବା ପାଇଁ କେରଳ ହାଇକୋର୍ଟକୁ ମିଳିଛି ଅପୂର୍ବ ସୁଯୋଗ। ସେ ପିଲାଟି ପାଇଁ ବାପା ବାଛି ଥିବା ନାଁ ମାଆର ଏବଂ ମାଆ ବାଛିଥିବା ନାଁ ବାପାର ପସନ୍ଦ ନ ହେବାରୁ ଉଭୟ ହାଇକୋର୍ଟରେ ମୋକଦ୍ଦମା କରିଥିଲେ।
ଶେଷରେ ଜଷ୍ଟିସ୍ ଏ. କେ. ଜୟଶଙ୍କରନ୍ ନାମ୍ବିଆର୍ଙ୍କୁ ସେ ପାଞ୍ଚ ବର୍ଷିୟ ପିଲାଟିର ନାଁ ବାଛିବାକୁ ପଡ଼ିଛି। କେନ୍ଦ୍ରୀୟ କେରଳ ନିବାସୀ ସେ ପିଲାର ବାପା ଜଣେ ହିନ୍ଦୁ ହୋଇଥିବାରୁ ପୁଅର ନାଁ ଦେଲେ ‘ଅଭିନବ ସଚିନ’। ମାଆ ଖ୍ରିଷ୍ଟିଆନ୍ ହୋଇଥିବାରୁ ନାଁ ଦେଲେ ‘ଜୋହାନ୍ ମଣି ସଚିନ’।
ଶେଷକୁ ଅଦାଲତ ପିଲାର ନାଁ ‘ଜୋହାନ ସଚିନ’ ରଖିବା ସହ ସେଇ ନାଁରେ ଜନ୍ମ ପ୍ରମାଣପତ୍ର ବାହାର କରିବାକୁ ଆଦେଶ ଦେଇଛନ୍ତି।
କୋଟ୍ଟାୟାମ୍ ପୌରପାଳିକାରେ ମଧ୍ୟ ପିଲାର ନାଁ ଉପରେ ବାପାମାଆଙ୍କ ମତଭେଦ ଦେଖି ସେମାନେ କୋର୍ଟ ଅର୍ଡର୍ ଆଣିବାକୁ କହିଥିଲେ। ତେଣୁ ଉଭୟ ବାପା ଓ ମାଆ ପିଲାଟିର ନାମକରଣ ମାମଲାରେ ପୃଥକ ପିଟିସନ୍ ଦାଏର କରିଥିଲେ।
୨୦୧୦ ମସିହା ଅଗଷ୍ଟ ୨୯ ତାରିଖ ଦିନ ସେ ଯୋଡ଼ି ପ୍ରଥମେ ଖ୍ରିଷ୍ଟିୟାନ୍ ପ୍ରଥାନୁସାରେ ବିବାହ କରିଥିଲେ ଓ ତହିଁ ଆର ଦିନ ପୁଣି ଥରେ ହିନ୍ଦୁପ୍ରଥା ମତେ ବାହା ହୋଇଥିଲେ। ୨୦୧୧ରେ ପ୍ରଥମ ସନ୍ତାନ ଓ ୨୦୧୩ରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା ଏବଂ ଛାଡ଼ପତ୍ର ପାଇଁ ସେମାନେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ। ଛାଡ଼ପତ୍ର ମାମଲା ଏବେ ଅଦାଲତରେ ପଡ଼ି ରହିଛି। ଦ୍ୱିତୀୟ ପିଲାଟିର ସ୍କୁଲ୍ରେ ଆଡ୍ମିସନ୍ କରାଇବାକୁ ଜନ୍ମ ପ୍ରମାଣପତ୍ର ଆବଶ୍ୟକ ହେବାରୁ ନାଁ ଉପରେ ବିବାଦ ଉଠିଥିଲା।
ପିଲାର ନାଁ ପାଇଁ ବାପ୍ଟିଜମ୍ ସାର୍ଟିଫିକେଟ୍ ଅନୁସାରେ ମାଆ ‘ଜୋହାନ ମଣି ସଚିନ’ ବାଛିଥିବା ବେଳେ ୨୮ସିଆ ଉତ୍ସବ ଅନୁସାରେ ନାଁ ‘ଅଭିନବ ସଚିନ’ ରହିବ ବୋଲି ବାପା ଯୁକ୍ତି ବାଢ଼ିଥିଲେ।
ପତ୍ନୀ ଅଦାଲତଙ୍କୁ କହିଥିଲେ କି, ଆପୋସ ବୁଝାମଣା ଆଧାରରେ ସେ ନାଁ ମଝିରେ ଥିବା ‘ମଣି’ ଶବ୍ଦଟିକୁ ଉଠାଇ ଦେବାକୁ ଇଚ୍ଛୁକ। କିନ୍ତୁ, ସ୍ୱାମୀ ଦାବି କଲେ ହେ ‘ଜୋହାନ୍’ ପରିବର୍ତ୍ତେ ‘ଅଭିନବ’ ହିଁ ରହିବ।
ଅଦାଲତ ରାୟ ଶୁଣାଇ କହିଲେ: ପିଲାଟିର ବାପାମାଆଙ୍କ ମତାନ୍ତରକୁ ଦୃଷ୍ଟି ଦେବା ପରେ ମୋର ମତ ହେଉଛି ବୁଝାମଣା ହେବା ପରି ପଦକ୍ଷେପ ଗ୍ରହଣ କରିବା। ଯଥା ସମ୍ଭବ ଉଭୟ ବାପା ଓ ମାଆଙ୍କ ଇଚ୍ଛାକୁ ବଳବତ୍ତର ରଖିବା ହେଉଛି ନ୍ୟାୟ। ତେଣୁ ଉଭୟ ରିଟ୍ ପିଟିସନ୍କୁ ଚାହିଁ ପିଲାର ନାଁ ‘ଜୋହାନ୍ ସଚିନ’ ଦିଆଗଲା। ‘ଜୋହାନ୍’ ମାଆଙ୍କ ଇଚ୍ଛାର ପ୍ରତିନିଧିତ୍ୱ କରିବ ଏବଂ ସାଙ୍ଗିଆ ଭାବେ ‘ସଚିନ୍’ ବାପାଙ୍କର ଇଚ୍ଛାର ପ୍ରତିନିଧିତ୍ୱ କରିବ।