ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ନୂଆଦିଲ୍ଳୀ: ଗତକାଲିଠାରୁ ଏମ୍ସର କାର୍ଡିଓ ନ୍ୟୁରୋ ସେଣ୍ଟରରେ ଚିକିତ୍ସାଧୀନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଜି ସୁଧାର ଆସିଛି। ବାଜପେୟୀଙ୍କ ପରିସ୍ରା ସଂକ୍ରମଣ ହୋଇଛି। ସଂକ୍ରମଣ କମାଇବାକୁ ଦିଆଯାଉଥିବା ଔଷଧ ସଠିକ୍‌ କାମ କରୁଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଇଂଜେକ୍ସନ୍‌ ମାଧ୍ୟମରେ ବାଜପେୟୀଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ବାଜପେୟୀ ଏମ୍ସରେ ହିଁ ରହିବେ ବୋଲି ଆଜି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ବିବୃତିରେ କୁହାଯାଇଛି। ଗତକାଲି ଏମ୍ସ ସୂତ୍ରରୁ ଜଣାଯାଇଥିଲା ଯେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ତାଙ୍କ ଶରୀରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡନି ଏବଂ ଫୁସଫୁସ୍‌ ଠିକ୍‌ ଭାବେ କାମ କରୁନାହିଁ। ୯୩ ବର୍ଷୀୟ ବାଜପେୟୀ ଏବେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନିରୀକ୍ଷଣରେ ରହିବେ। ଉଲ୍ଲେଖଯୋଗ୍ୟ ଗୁଲେରିଆ ଗତ ୧୫ ବର୍ଷ ହେବ ବାଜପେୟୀଙ୍କୁ ଚିକିତ୍ସା କରି ଆସୁଛନ୍ତି। ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ବାଜପେୟୀ ୨୦୦୯ ମସିହାରେ ହୃଦ୍‌ଘାତର ଶିକାର ହୋଇଥିଲେ ଏବଂ ଏହା ପରଠାରୁ ତାଙ୍କର ଗୁରୁତର ସ୍ମୃତି ବିଭ୍ରାଟ ହୋଇଛି।

ସମ୍ବନ୍ଧିତ ଖବର