ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି

ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ ଉଭୟ ରାଜ୍ୟ

ନୂଆଦିଲ୍ଲୀ : ଆସନ୍ତାକାଲି ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ୍. ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି।

ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଇତିମଧ୍ୟରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳଗୁଡ଼ିକୁ ଗସ୍ତ କରି ଅନୁଧ୍ୟାନ କରିସାରିଛନ୍ତି। ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକୁ ଅନୁଧ୍ୟାନ କରି ଫେରିଆସିବା ପରେ ଛତିଶଗଡ଼ ଦ୍ବାରା ନଭେମ୍ବର ଦ୍ବିତୀୟ ସସ୍ତାହ ୧୧ ଜଣିଆ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମହାନଦୀ ଅଞ୍ଚଳର ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରିଥିଲେ ତଥା ମହାନଦୀ ଜଳ ବ୍ୟବହାର ବ୍ୟବସ୍ଥା ମଧ୍ୟ ଦେଖିଥିଲେ।

ଏ ସଂକ୍ରାନ୍ତରେ ଆସନ୍ତାକାଲି ଟ୍ରିବ୍ୟୁନାଲରେ ଉଭୟ ରାଜ୍ୟଙ୍କ ଦ୍ବାରା ଅବଗତ କରାଯିବା ସହିତ ଆଗକୁ ଆଉ ପ୍ରକଳ୍ପ ଅନୁଧ୍ୟାନର ଆବଶ୍ୟକତା ନେଇ ଟ୍ରିବ୍ୟୁନାଲଙ୍କ ମତ ନିଆଯିବାର ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ କ୍ଷେତ୍ର ପରିଦର୍ଶନ କରିବା ପରେ ଓଡ଼ିଶା ଓ ଛତିଶଗଡ଼କୁ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି କାରଣବଶତଃ ନଭେମ୍ବର ୩୦ ତାରିଖର ଶୁଣାଣିକୁ ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର