ଶିଶୁ ପାଇଁ ୩୨୩ କିମି ଦୂରରୁ ୯୪ ମିନିଟ୍‌ରେ ଆସିଲା ହୃତ୍‌ପିଣ୍ଡ

ମୁମ୍ବାଇ: ଔରଙ୍ଗାବାଦରୁ ମୁମ୍ବାଇ ମଧ୍ୟରେ ୩୨୩.୫ କିମି ଦୂରତାକୁ ଆଜି ମାତ୍ର ୯୪ ମିନିଟ୍‌ରେ ଅତିକ୍ରମ କରି ଅଣାଯାଇଥିବା ଏକ ଜୀବନ୍ତ ହୃତ୍‌ପିଣ୍ଡକୁ ଜଣେ ୪ ବର୍ଷର ଶିଶୁ ଦେହରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଫର୍ଟିସ୍‌ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଜାଲନାରେ ରହୁଥିବା ଶିଶୁକୁ ଏହି ଜୀବନ୍ତ ହୃତ୍‌୍‌ପିଣ୍ଡ ନୂଆ ଜୀବନ ଦେଇଛି। ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ୧୩ ବର୍ଷୀୟ ବାଳକର ହୃତପିଣ୍ଡକୁ ଔରଙ୍ଗାବାଦର ଏମ୍‌୍‌ଜିଏମ୍‌ ହସ୍ପିଟାଲରେ ସଂରକ୍ଷିତ ରଖାଯାଇଥିଲା। ହସ୍ପିଟାଲରୁ ଆଜି ଔରଙ୍ଗାବାଦ ବିମାନ ବନ୍ଦରକୁ ଏହି ଜୀବନ୍ତ ହୃତ୍‌୍‌ପିଣ୍ଡ ୧ଟା ୫୦ ମିନିଟରେ ବାହାରିଥିଲା। ୧.୫୪ ମିନିଟ୍‌ରେ ଏହା ବିମାନ ବନ୍ଦରରେ ପହଞ୍ଚି ଯାଇଥିଲା।

କେବଳ ୪ ମିନିଟରେ ୪.୮ କିଲୋମିଟର ଦୂରତା ଅତିକ୍ରମ କରିବା ପାଇଁ ଗ୍ରୀନ୍‌ କରିଡର ସୃଷ୍ଟି କରାଯାଇଥିଲା। ସେଠାରୁ ଏକ ଚାର୍ଟଡ ବିମାନରେ ହୃତ୍‌୍‌ପିଣ୍ଡକୁ ୩ଟା ୫ ମିନିଟରେ ମୁମ୍ବାଇ ବିମାନ ବନ୍ଦରକୁ ଅଣାଯାଇଥିଲା। ସେଠାରୁ ୧୯ ମିନିଟରେ ୧୮ କିଲୋମିଟର ଦୂର ଫୋର୍ଟିସ ହସ୍ପିଟଲକୁ ଏକ ଗ୍ରୀନ୍‌ କରିଡର ମାଧ୍ୟମରେ ଅଣାଯାଇଥିଲା। ଫୋର୍ଟିସ ହସ୍ପିଟାଲ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ହୃତ୍‌୍‌ପିଣ୍ଡ ୩ଟା ୨୪ ମିନିଟରେ ଔରଙ୍ଗାବାଦରୁ ବାହାରିବା ପରେ ୧ ଘଣ୍ଟା ୩୪ ମିନିଟରେ ମୁମ୍ବାଇ ଫୋର୍ଟିସ ହସ୍ପିଟାଲ ପହଞ୍ଚିଥିଲା। ଏଥିପାଇଁ ମୋଟ ୩୨୩.୫ କିମି ଦୂରତା ଅତିକ୍ରମ କରାଯାଇଥିଲା।

ସମ୍ବନ୍ଧିତ ଖବର