ଥଣ୍ଡାରେ ଥରୁଛି ଆମେରିକା : ପ୍ରବଳ ଥଣ୍ଡାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ମିଚିଗାନ୍ ହ୍ରଦରେ ଶୀତଳଧୁଆଁର ରୂପ ନେଲା ବରଫକଣା

ଓ୍ୱାସିଂଟନ : ଆମେରିକାରେ ରେକର୍ଡ ଭାଂଗିଲା ବରଫପାତ । ଅଧିକାଂଶ ରାଜ୍ୟରେ ବରଫପାତ ଜାରି ଥିବାବେଳେ ତାପମାତ୍ରା ତଳକୁ ଖସିବାରେ ଲାଗିଛି। ବରଫପାତ ଯୋଗୁଁ ଜନଜୀବନ ଉପରେ ପଡିଛି ଗଭୀର ପ୍ରଭାବ। ପ୍ରବଳ ଥଣ୍ଡା ଓ ବରଫପାତ ଯୋଗୁଁ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସିକାଗୋରେ ବ୍ୟାଙ୍କ, ଡାକ, ରେଳ ଓ ବିମାନସେବା ବନ୍ଦ ରହିଛି। ଏଥିସହିତ ମିଚିଗାନ୍, ୱିସକନସିନ୍ ଓ ଇଲିନୟରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି। କିଛି ସ୍ଥାନରେ ବିମାନ ତଥା ରେଳ ଚଳାଚଳ ଉପରେ ରୋକ୍ ଲଗାଯାଇଛି। ପ୍ରବଳ ଶୀତ ଯୋଗୁ ମିଚିଗାନ୍ ହ୍ରଦରେ ବରଫଝଡ଼ ଉପରକୁ ଉଠୁଥିବାର ଦେଖିବାକୁ ମିଳିଛି । ଏପରିକି ଅଣ୍ଡା କେଶର ବି ବରଫ ପାଲଟିବା ନଜର ଆସିଛି ।

ପ୍ରବଳ ଶୀତ ଯୋଗୁ ଆମେରିକା ମିଚିଗାନ୍ ହ୍ରଦର ପାଣିଉପରୁ ବରଫକଣା ଧୁଆଁ ରୂପ ଧାରଣ କରିଛନ୍ତି । ସମ୍ପୂର୍ଣ୍ଣ ହ୍ରଦରୁ ଏଭଳି ବରଫଧୁଆଁ ଦେଖିବାକୁ ମିଳିଥିବା ବେଳେ ଉପକୂଳ ବରଫାବୃତ ହୋଇରହିଛି । ସୂର୍ଯ୍ୟାଲୋକର ପ୍ରଭାବ ମଧ୍ୟ ହ୍ରଦ ପାଣିଉପରେ ପଡ଼ିବା ଦେଖିବାକୁ ମିଳୁନାହିଁ, ଏଥିରୁ ସହଜରେ କୁହାଯାଇପାରେ ଥଣ୍ଡାରେ ଥରୁଛି ଆମେରିକା ।

ଆମେରିକାର ମିନିସୋଟା ଅଂଚଳରେ ଜଣେ ବ୍ୟକ୍ତି ଅଣ୍ଡାକୁ ବ୍ରେଡ୍ ଉପରେ ରଖି ଦେଖାଇବାକୁ ଚେଷ୍ଟା କରିଥିଲେ ଯେ, ଆମେରିକାରେ କିଭଳି ପଡ଼ିଛି ଶୀତ । କିଛି ସମୟ ମଧ୍ୟରେ ଅଣ୍ଡାର କେଶର ମଧ୍ୟ ବରଫ ପାଲଟି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତାୱା ଉପରେ ରଖିଲେ ବି ପ୍ରବଳ ଥଣ୍ଡା ଯୋଗୁ ବରଫ ପାଲଟିଯାଉଛି ଅଣ୍ଡା ।

ବିଭିନ୍ନ ଅଂଚଳର ତାପମାତ୍ରା (ସେଲସିୟସରେ)
ସିକାଗୋ – ମାଇନସ୍ ୩୨ ଡିଗ୍ରୀ
ମିଡୱେଷ୍ଟ – ମାଇନସ୍ ୧୯ ଡିଗ୍ରୀ
ବ୍ରିମର୍ – ମାଇନସ୍ ୧୪ ଡିଗ୍ରୀ
ମିଚିଗାନ୍ – ମାଇନସ୍ ୨୫ ଡିଗ୍ରୀ

ପାରଦ ତଳକୁ ଖସିବା ଯୋଗୁ ସୁପରପାୱାର ଆମେରିକା ଶୀତ ସାମ୍ନାରେ ଅତି ଅସହାୟ ହୋଇ ପଡ଼ିଛି । ଏହାର କିଭଳି ମୁକାବିଲା କରିବ ସାଧାରଣ ମଣିଷ ତାକୁ ନେଇ ଏବେ ଚିନ୍ତା । ଗଛଲତା ପାହାଡ଼ ଓ ଜନବସତି ବରଫାଚ୍ଛନ୍ନ ହୋଇଥିବା ବେଳେ ଜୀବନ ଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାସ୍ତାରେ ବରଫ ଜମିରହିବା କାରଣରୁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ରେଳ ଓ ବିମାନ ଚଳାଚଳ ଉପରେ ମଧ୍ୟ ରୋକ୍ ଲାଗି ଯାଇଛି ।

ଆଂଟାର୍କଟିକା ଅବବାହିକାରେ ଲଘୁଚାପ ଯୋଗୁ ଆମେରିକା ଆଡ଼କୁ ଶୀତଳବାୟୁ ଅଧିକ ପ୍ରବାହିତ ହେଉଛି । ଏହି କାରଣରୁ ଆମେରିକାରେ ପ୍ରବଳ ବରଫପାତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପଟେ ଲୋକଙ୍କୁ ଘରୁ ନବାହାରିବାକୁ ଓ ଯଥେଷ୍ଟ ଶୀତବସ୍ତ୍ର ପିନ୍ଧିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଅନ୍ୟ ପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ସ୍ଥାନୀୟ ଲୋକଙ୍କ ବଢ଼ିଯାଇଛି ଚିନ୍ତା । ସମସ୍ତଙ୍କ ଅପେକ୍ଷା ଶୀତରୁ କିଭଳି ମିଳିବ ମୁକ୍ତି ।

ସମ୍ବନ୍ଧିତ ଖବର