ଉତ୍ତର ଭାରତରେ ବର୍ଷା ବିତ୍ପା‌ତ, ହିମାଚଳ, ଉତ୍ତରାଖଣ୍ଡରେ ୩୫ ମୃତ

ବିପଦ ସଙ୍କେତ ଟପିଲା ଯମୁନା, ଦିଲ୍ଲୀରେ ବନ୍ୟା ସତର୍କତା

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ରାଜ୍ୟ ଗୁଡ଼ିକରେ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇବାପରେ ଏବେ ଉତ୍ତର ଭାରତରେ ବିଭିନ୍ନ ରାଜ୍ୟ ଗୁଡ଼ିକରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ହିମାଚଳରେ ଅଚାନକ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପଂଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବେ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ଯମୁନା ନଦୀ ଜଳ ସ୍ତର ବିପଦ ସଙ୍କେତ ଟପି ପ୍ରବାହିତ ହୋଇଛି। ଏଥିଯୋଗୁଁ ଦିଲ୍ଲୀରେ ବନ୍ୟା ସତର୍କ ଜାରି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାବତ୍‌ ଦିଲ୍ଲୀରେ ୨୧୨୦ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଅନେକ ଟିମ୍‌ ଗଠନ ହୋଇଛି ବୋଲି କେଜ୍ରିୱାଲ୍‌ କହିଛନ୍ତି।

ପଂଜାବର ରୋପର, ନୱନଶହର, ଜଳନ୍ଧର, କପୁରତାଲା, ଲୁଧିଆନା, ତାର୍ନ, ତରନ, ମୋଗା ଏବଂ ଫିରୋଜପୁର୍‌ ପରି ୮ ଜିଲ୍ଲାର ୨୦୯ ଗ୍ରାମରେ ଏବେ ସତର୍କତା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ୫୭୪ କୋଟି ଟଙ୍କାର କ୍ଷତି ହୋଇଛି ‌ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି। ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅଧିକାଂଶ ରାସ୍ତା ବନ୍ଦ ହୋଇଯାଇଥିବାରୁ ବିଭିନ୍ନ ସ୍ଥାନରେ ପ୍ରାୟ ୫୦୦ ଲୋକ ଫଶି ରହିଛନ୍ତି। ଉତ୍ତରପ୍ରଦେଶରେ ଗଙ୍ଗା ନଦୀ ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ରାଜସ୍ଥାନରେ ମଧ୍ୟ ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର