ପ୍ରବଳ ବରଫପାତ, ବାହ୍ୟ ଜଗତରୁ କଶ୍ମୀର ବିଚ୍ଛିନ୍ନ

ଦିଲ୍ଲୀରେ କୁଆପଥର ବର୍ଷା

ଶ୍ରୀନଗର: ପ୍ରବଳ ବରଫ ପାତ ଓ ଭୂସ୍ଖଳନ ଯୋଗୁ କଶ୍ମୀର ଏବେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଜବାହର ଟନେଲ୍‌ ଏବଂ ବାନିହାଲ୍‌ ଅଞ୍ଚଳରେ ୧୪ରୁ ୧୬ ଇଞ୍ଚ ବରଫ ଜମା ହୋଇ ରହିଛି। ଶ୍ରୀନଗର ବିମାନ ବନ୍ଦରରେ ୧୮ଟି ବିମାନ ବାତିଲ କରି ଦିଆଯାଇଛି। ଶ୍ରୀନଗରରୁ କୌଣସି ବିମାନ ଚଳାଚଳ ହୋଇପାରୁନି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ମଧ୍ୟ ଆଜି ଦ୍ବିତୀୟ ଦିନ ପାଇଁ ବନ୍ଦ ରହିଛି। ରମ୍ବନରେ ପ୍ରବଳ ବରଫପାତ ହେତୁ ଭୂସ୍ଖଳନ ହୋଇଛି। ପ୍ରବଳ ତୁଷାରପାତ ଯୋଗୁଁ ଅନେକ ଲୋକ ଏବେ ଘର ବାହାରକୁ ବାହାରି ପାରୁନାହାନ୍ତି। ପ୍ରବଳ ବରଫପାତ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛିଡ଼ିଯାଇଥିବାରୁ ଲୋକେ ବିନା ଆ‌ଲୁଅରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବରଫ ସ୍ଖଳନ ଯୋଗୁ କଶ୍ମୀରର କୁଲଗାମ ଜିଲ୍ଲାରେ ଏକ ପୁଲିସ ପୋଷ୍ଟ ଗୁରୁବାର ପୋତି ହୋଇପଡ଼ିଛି। ଶ୍ରୀନଗର ଓ ଜମ୍ମକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଜବାହାର ଟନେଲ ନିକଟରେ ଏହି ପୁଲିସ ପୋଷ୍ଟ ରହିଛି। ୧୦ ଜଣ ପୁଲିସଙ୍କର ପତ୍ତା ମିଳୁ ନ ଥିବାରୁ ସେମାନେ ବରଫ ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଛି। ବରଫ ସ୍ଖଳନରେ ପୁଲିସ ପୋଷ୍ଟ ପୋତି ହୋଇଯିବା ପରେ ସିଆରପିଏଫ ଓ ଅନ୍ୟମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବରଫ ସ୍ଖଳନରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବରଫ ପାତ ଓ ବରଫ ସ୍ଖଳନ ନେଇ ସତର୍କତା ଜାରି କରାଯାଇଛି।

ଦିଲ୍ଲୀରେ କୁଆପଥର ବର୍ଷା
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସନ୍ଧ୍ୟା‌ରେ ପ୍ରବଳ କୁଆପଥର ବର୍ଷା ହୋଇଛି। ମାତ୍ର ଘଣ୍ଟାକର କୁଆପଥର ବର୍ଷାରେ ଜାତୀୟ ରାଜଧାନୀ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭୟଙ୍କର ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କୁଆପଥର ଜନିତ ବର୍ଷା ଯୋଗୁଁ ୧୪ଟି ଘରୋଇ ବିମାନ ସହ ୪ଟି ଆନ୍ତର୍ଜାତୀୟ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ୯ଟି ବିମାନକୁ ଜୟପୁର ବିମାନ ବନ୍ଦରକୁ ପଠାଇ ଦିଆଯାଇଥିବାବେଳେ ୩ଟି ବିମାନ ଲକ୍ଷ୍ନୌକୁ ଏବଂ ଅନ୍ୟ ୩ଟି ବିମାନକୁ ଅମୃତସରକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଏବଂ ନିକଟସ୍ଥ ସହର ନଏଡ଼ା ଏବଂ ଫରିଦାବାଦ୍‌ ମଧ୍ୟ ଆଜି ପ୍ରବଳ କୁଆପଥର ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର