ପୁଣି ଆସିଲା ଅର୍କୁଟ୍‌, ଏକ ନୂଆ ନାଁ ଓ ନୂଆ ଅବତାରରେ

ନୂଆଦିଲ୍ଲୀ: ଆପଣଙ୍କର ଅର୍କୁଟ କଥା ମନେ ଅଛି? ଲୋକମାନଙ୍କୁ ସୋସିଆଲ ନେଟଓ୍ଵାର୍କିଂର ସ୍ୱାଦ ଚଖାଇଥିଲା ଅର୍କୁଟ । ପରେ ଫେସବୁକ ଆସିବା ପରେ ଲୋକେ ଅର୍କୁଟ କଥା ଭୁଲି ଗଲେ । ଫଳରେ ୨୦୧୪ରେ ବାଧ୍ୟ ହୋଇ ଗୁଗୁଲ୍‌ ଅର୍କୁଟକୁ ବନ୍ଦ କରିଥିଲା । କିନ୍ତୁ ଏବେ ଫେସବୁକ ଡାଟାଚୋରୀ ବିବାଦରେ ଫସି ରହିଥିବାରୁ ଲୋକେ ଫେସବୁକ ପାଖରୁ ମୁହଁଁ ଫେରାଇବାକୁ ଲାଗିଲେଣି । ଏହି ସୁଯୋଗରେ ପୁଣି ଆତ୍ମପ୍ରକାଶ କରିଛି ଅର୍କୁଟ୍‌, ଏକ ନୂଆ ନାଁ ଓ ନୂଆ ରୂପରେ । ଏହି ନୂଆ ଆପ୍‌ର ନାଁ ହେଉଛି ‘ହାଲୋ’ । ଏହାକୁ ପ୍ରସ୍ତୁତ କରିଛନ୍ତି ଅର୍କୁଟର ପ୍ରତିଷ୍ଠାତା ଅର୍କୁଟ ବିୟୁକୋକଟେନ । ଏହି ଆପ୍‌ ପୂର୍ବରୁ ବ୍ରାଜିଲରେ ଆରମ୍ଭ ହୋଇ ଲୋକପ୍ରିୟ ହୋଇସାରିଥିବାବେଳେ ଏବେ ଭାରତରେ ସେବା ଆରମ୍ଭ କରିଛି ।

ଏହି ଆପ୍‌ ଫେସବୁକର ମିଛ ଦୂନିଆଠାରୁ ଅଲଗା । ଏହା ଲାଇକ ( like) ସର୍ବସ୍ୱ ନୁହେଁ, ବରଂ ପ୍ରକୃତ ଭଲପାଇବା ଏହାର ଭିତ୍ତି ବୋଲି କହିଛନ୍ତି ଅର୍କୁଟ ବିୟୁକୋକଟେନ । ଲୋକମାନେ ପ୍ରକୃତରେ ପରସ୍ପରକୁ ଭେଟିଲେ ଯେପରି ବ୍ୟବହାର ବା ଆଚରଣ କରିବେ ତାହାଠାରୁ ଆଜିର ସୋସିଆଲ ନେଟଓ୍ଵାର୍କ ଗୁଡ଼ିକ ଅଲଗା । କିନ୍ତୁ ହାଲୋ ଏହି ଅଭାବକୁ ପୂରଣ କରିବ । ଏହାକୁ ଆଜିକାଲିର ସ୍ମାର୍ଟଫୋନ ପ୍ରେମୀ ଯୁବସମାଜକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏବେ ଏହି ଆପ୍‌ଟି ଗୁଗୁଲ ଆପ ଷ୍ଟୋର ଓ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ।

ସମ୍ବନ୍ଧିତ ଖବର