ହେମାଙ୍କ ବିବାଦୀୟ ବୟାନ: ପ୍ରବାସୀ ଜନସଂଖ୍ୟାକୁ ଦାୟୀ କଲେ

ମୁମ୍ବାଇ: ମୁମ୍ବାଇ କମଳା ମିଲ୍‌ କମ୍ପାଉଣ୍ଡ୍‌ରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ବିବାଦୀୟ ବୟାନ ଦେଇଛନ୍ତି। ଏଭଳି ଦୁର୍ଘଟଣା ପାଇଁ ହେମା ସହରର ବଢ଼ିଚାଲିଥିବା ପ୍ରବାସୀ ଜନସଂଖ୍ୟାକୁ ଦାୟୀ କରିଛନ୍ତି। ଦୁର୍ଘଟଣା ସଂପର୍କରେ ଗଣମାଧ୍ୟମକୁ ବୟାନ ଦେଇ ହେମା କହିଛନ୍ତି ଯେ ଏଥିପାଇଁ କେବଳ ପୁଲିସ ଏବଂ ସରକାରଙ୍କୁ ଦାୟୀ କରାଯାଉଛି । ତେବେ ସେମାନେ ନିଜ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରୁଛନ୍ତି। ମୁମ୍ବାଇର ଜନସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଛି ଏବଂ ଏଥିରେ ଅଙ୍କୁଶ ଲଗାଇବା ସମ୍ଭବ ହେଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବଡ଼ ସହରରେ ବଢ଼ି ଚାଳିଥିବା ଭିଡ଼ ଉପରେ ନିୟନ୍ତ୍ରଣ କରିବା ସହ ଜନସଂଖ୍ୟା ଅନୁପାତରେ ପବ୍‌ ଖୋଲିବା ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ହେମା କହିଛନ୍ତି। ତେବେ ହେମାଙ୍କ ଏହି ବୟାନ ଅନ୍ୟ ରାଜ୍ୟରୁ ଆସି ମୁମ୍ବାଇରେ ରହୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାକୁ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି। ଏହା ହେମାଙ୍କ ଏକ ସମ୍ବେଦନହୀନ ବୟାନ ଏବଂ ଏଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହେବ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର