ଟେନିସି ଓ୍ଵାଫ୍‌ଲ୍‌ ହାଉସ୍‌ର ଉଲଗ୍ନ ହତ୍ୟାକାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ଆଣିଥିବା ‘ହିରୋ’ ଜେମ୍‌ସ୍‌

ଟେନିସି: ରବିବାର ଦିନ ଆମେରିକାର ଟେନିସି ଅନ୍ତର୍ଗତ ନେସ୍‌ଭାଇଲ୍‌ ନିକଟରେ ଥିବା ଓ୍ଵାଫ୍‌ଲ୍‌ ହାଉସ୍‌ ରେସ୍ତୋରାଁ ଖଣ୍ଡେ ସବୁଜ ରଙ୍ଗର ଜ୍ୟାକେଟ୍‌ ଛଡ଼ା ଅନ୍ୟ କିଛି ପିନ୍ଧି ନ ଥିବା ଯେଉଁ ଲୋକଟି ଗୁଳି ଚଳାଇ ଚାରି ଜଣ ଲୋକଙ୍କୁ ହତ୍ୟା କରିବା ସହ ଅନ୍ୟ କେତେକଙ୍କୁ ଆହତ କରିଛନ୍ତି ତାଙ୍କୁ କିଛି ସମୟ ପୂର୍ବରୁ ଗୋଟାଏ ଟ୍ରକ୍‌ରେ ବସି ରେସ୍ତୋରାଁରେ ଥିବା ଲୋକମାନଙ୍କୁ ଲକ୍ଷ କରିଥିବା କଥା ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ବନ୍ଧୁକଧାରୀଙ୍କ ହାତରେ ଥିଲା ଏଆର୍‌-୧୫ ଭଳି ଦିଶୁଥିବା ଆସଲ୍‌ଟ୍‌ ରାଇଫଲ୍‌। ସେ ଭୋର୍‌ ପ୍ରାୟ ସାଢ଼େ ତିନିଟା ବେଳେ ନେସ୍‌ଭାଇଲ୍‌ ଉପନଗରୀ ଅନ୍ତର୍ଗତ ଆଣ୍ଟିଓକ୍‌ ଠାରେ ଥିବା ରେସ୍ତୋରାଁକୁ ଚାଲି ଚାଲି ଯାଇଥିଲେ। ସେଠାରେ ଗ୍ରାହକମାନଙ୍କ ଉପରକୁ ସେ ବ୍ୟକ୍ତିଜଣକ ଗୁଳି ଚଳାଇଥିବା କଥା ପୁଲିସ ଟୁଇଟର୍‌ରେ କହିଛି।

ଜଣେ ସାହସୀ ଗ୍ରାହକ ସେ ବ୍ୟକ୍ତିଙ୍କ ଠାରୁ ବନ୍ଧୁକଟି ଜବରଦସ୍ତି ଛଡ଼ାଇ ନେଇଥିଲେ। ସେଠାରୁ ଦୌଡ଼ି ପଳାଇବା ପୂର୍ବରୁ ଆତତାୟୀ ପିନ୍ଧିଥିବା ଜ୍ୟାକେଟ୍‌ ଖଣ୍ଡକ ତଳେ ପକାଇ ଦେଇଥିଲା।

ସେ ସାହସୀ ବ୍ୟକ୍ତିଜଣକ ହେଉଛନ୍ତି ୨୯ ବର୍ଷିୟ ଜେମ୍‌ସ୍‌ ଶ’ ଜୁନିୟର୍‌। ସେ ଗୋଟାଏ ରେଷ୍ଟ୍‍ରୁମ୍‌ ଭିତରେ ଛପିଯାଇ ବନ୍ଧୁକଧାରୀ ରିଙ୍କିଙ୍ଗ୍‌ଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ। କେତେ ରାଉଣ୍ଡ୍‌ ଗୁଳି ଫୁଟାଇ ସାରି ଆତତାୟୀ କ୍ଷଣେ ଅଟକି ଯିବା ଭିତରେ ସେ ଅକସ୍ମାତ୍‌ ବାହାରି ପଡ଼ି ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ। ଧସ୍ତାଧସ୍ତି ବେଳେ ଜେମ୍‌ସ୍‌ଙ୍କ କହୁଣୀରେ ଗୁଳି ଆଘାତ ଲାଗିଥିଲା। ବନ୍ଧୁକର ଉତ୍ତପ୍ତ ବାରେଲ୍‌ଟିକୁ ଧରି ପକାଇବାରୁ ତାଙ୍କର ଡାହଣ ହାତ ବି ପୋଡ଼ି ଯାଇଛି।

ନିଜ ଜୀବନରୁ ପାଣି ଛଡ଼ାଇ ଆତତାୟୀ ହାତରୁ ବନ୍ଧୁକ ଛଡ଼ାଇ ଆଣି ସେ ଅନେକ ଲୋକଙ୍କର ଜୀବନ ରକ୍ଷା କରିଥିବାରୁ ପୁଲିସ ତାଙ୍କୁ ‘ହିରୋ’ ବୋଲି କହି ପ୍ରଶଂସା କରିଛି।

ଆହତମାନଙ୍କ ମଧ୍ୟରୁ ଜଣେ ସଙ୍କଟାପନ୍ନ ସ୍ଥିତିରେ ଓ୍ଵାଣ୍ଡର୍‌ବିଲ୍‌ଟ୍‌ ୟୁନିଭର୍ସିଟି ମେଡିକାଲ୍‌ ସେଣ୍ଟର୍‌ରେ ପଡ଼ିଛନ୍ତି।

ପୋଲିସ ସେହି ରାତିରୁ ହିଁ ସେ ଆତତାୟୀଙ୍କୁ ଖୋଜୁଛି। ତା’ ପାଖରେ ଅନ୍ୟ କୌଣସି ଅସ୍ତ୍ର ଥିଲା କି, ନାହିଁ ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ କହିବା ଅନୁସାରେ ନିକଟରେ ଘଟିଥିବା ଅନ୍ୟ ଏକ ଗୁଳିକାଣ୍ଡରେ ଉକ୍ତ ବ୍ୟକ୍ତି ସମ୍ପୃକ୍ତ ଥାଇ ପାରନ୍ତି। ଲୋକଟି ବିପଜ୍ଜନକ ଏବଂ ତାଙ୍କ ପାଖରେ ଆହୁରି କିଛି ଅସ୍ତ୍ରଶସ୍ତ୍ର ରହିଥାଇ ପାରେ ବୋଲି ପୁଲିସ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର