ବହୁ ବିବାଦର ନାୟକ

ନୂଆଦିଲ୍ଲୀ : ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ କୃଷ୍ଣସାର ଶିକାର ସମେତ ଅନେକ ବିବାଦରେ ବୁଡ଼ି ରହିଛନ୍ତି। ସଲମାନ୍‌ ସେପ୍ଟେମ୍ବର ୨୮, ୨୦୦୨ ମସିହାରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ମୁମ୍ବାଇ ଜେଲ୍‌ରେ ରହିଥିଲେ। ସଲମାନ୍‌ଙ୍କ ଗାଡ଼ି ବାନ୍ଦ୍ରା ସ୍ଥିତ ଆମେରିକାନ ଏକ୍ସପ୍ରେସ ବେକେରି ଉପରକୁ ମାଡ଼ିଯିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୪ ଜଣ ଆହତ ହୋଇଥିଲେ। ଏହି ମାମଲା ୨୦୦୨ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଚାଲିଥିଲା। ୨୦୧୫ ମେ’ ୬ ତାରିଖରେ ଟ୍ରାଏଲ କୋର୍ଟ ସଲମାନ୍‌ଙ୍କୁ ଏହି ମାମଲାରେ ଦୋଷୀସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହି ମାମଲାରେ ବମ୍ବେ ହାଇକୋର୍ଟ ଡିସେମ୍ବର ୧୦ ତାରିଖରେ ତାଙ୍କୁ ଦୋଷମୁକ୍ତ କରିଥିଲେ।
୨୦୦୨ ମସିହାରେ ସଲମାନ୍‌ ତାଙ୍କ ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ବିବାଦ ଘେରରେ ଥିଲେ। ସେହିବର୍ଷ ମାର୍ଚ୍ଚ ମାସରେ ଐଶ୍ୱର୍ଯ୍ୟା ଅଭିଯୋଗ ଆଣିଥିଲେ ଯେ ସଲମାନ୍‌ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କୁ ବାରମ୍ବାର ଫୋନ୍‌ରେ ଗାଳିଗୁଳଜ କରିବା ସହ ତାଙ୍କ ଘର ନିକଟକୁ ଆସି ହଇରାଣ କରୁଛନ୍ତି।
ସଲମାନ୍‌ ୨୬/୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ଚ୍ୟାନେଲ୍‌ରେ ଏକ ସାକ୍ଷାତକାର ଦେଇ ମଧ୍ୟ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ସେ କହିଥିଲେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଅତିରଞ୍ଜିତ କରାଯାଉଛି । ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରାଯାଇ ଏହି ଆକ୍ରମଣ ହୋଇଥିବା ସଲମାନ କହିଥିଲେ। ଏଥିପାଇଁ ସଲମାନଙ୍କୁ ବିଭିନ୍ନ ମହଲରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର