ଜମ୍ମୁ କଶ୍ମୀରରେ ବନ୍ୟା

ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ସ୍ଥିତି ଜମ୍ମୁରେ ୩ ମୃତ, ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝେଲମ୍‌ ନଦୀରେ ବଡ଼ ବନ୍ୟା ଆସିଥିବା ବେଳେ ଦକ୍ଷିଣ କଶ୍ମୀରର ସଙ୍ଗମ ଏବଂ ଶ୍ରୀନଗରର ରାମ୍‌ ମୁନ୍‌ଶି ବାଗ୍‌ରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି। ବନ୍ୟାରେ ଜମ୍ମୁ ଅଂଚଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି ।୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜ୍ୟପାଳ ଏନ୍‌୍‌ଏନ୍‌ ଭୋରା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି ହୋଇଥିବାବେଳେ ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀରରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା କରାଯାଉଛି।

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସଙ୍ଗମରେ ଝେଲମ ନଦୀ ଜଳ ବିପଦ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି। ରାମ୍‌ ମୁନ୍‌ସି ବାଗ୍‌ ଅଂଚଳରେ ସ୍ଥିତି ଉଦ୍‌ବେଗଜନକ ରହିଛି। ନଦୀକୂଳ ନିକଟସ୍ଥ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବାପାଇଁ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଜରୁରୀ ପରିସ୍ଥିତିରେ ସ୍ଥାନାନ୍ତର ପାଇଁ ୨୦ରୁ ଅଧିକ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି। କଶ୍ମୀର ଉପତ୍ୟକାରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି। ପ୍ରବଳ ବର୍ଷା ହେତୁ ଆଜି ଅମରନାଥ ଯାତ୍ରା ମଧ୍ୟ ସ୍ଥଗିତ ରହିଛି। ପାଗ ବଦଳିବା ପରେ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର