ହାଇ ଆଲର୍ଟ, ଅଯୋଧ୍ୟାରେ ବଡ଼ ଆକ୍ରମଣ ଯୋଜନା

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ‌ଯୋଜନା କରିଛନ୍ତି। ପଡ଼ୋଶୀ ନେପାଳ ଦେଇ ଆତଙ୍କବାଦୀମାନେ ଭାରତ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ଗୁଇନ୍ଦା ରିପୋର୍ଟ ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରିଛନ୍ତି। ସହରର ସମସ୍ତ ଗୁରୁ୍ତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସହରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ସମଗ୍ର ସହର ଓ ଆଖପାଖ ଅଂଚଳରେ ପୁଲିସ ପା‌ଟ୍ରୋଲିଂ ବଢ଼ାଯାଇଛି।

ଅଯୋଧ୍ୟାକୁ ଚଳାଚଳ କରୁଥିବା ଟ୍ରେନ୍‌ ଏବଂ ବସ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି ଏବଂ ହୋଟେଲ୍‌ , ଲଜ୍‌ ଏବଂ ଗେଷ୍ଟ୍‌ ହାଉସ୍‌ଗୁଡ଼ିକରେ ମଧ୍ୟ ଯାଞ୍ଚ ଜାରି ରହିଛି। ଅନ୍ୟପକ୍ଷେ ଅଯୋଧ୍ୟାରେ ୨୦୦୫ ଆତଙ୍କବାଦୀ ଆକ୍ରମଣର ରାୟ ଆଗାମୀ ୧୮ ତାରିଖରେ ଆସିବାକୁ ଥିବାବେଳେ ଏନେଇ ମଧ୍ୟ ଆଗୁଆ ସତର୍କତା ପଦକ୍ଷେପ ନିଆଯାଇଛି। ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟାରେ ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌, ସ୍ବତନ୍ତ୍ର ପୁଲିସ, ଅର୍ଦ୍ଧସାମରିକ ବାହିନୀ, ଆରଏଏଫ୍‌, ଏବଂ ଡ୍ରୋନ୍‌ କ୍ୟାମେରା ମୁତୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୦୫, ଜୁନ୍‌ ୫ ତାରିଖରେ ଅଯୋଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ କରାଯାଇଥିଲା। ସୁରକ୍ଷାବାହିନୀ ଗୁଳିରେ ୫ ଆତଙ୍କବାଦୀ ନିପାତ ହୋଇଥିଲେ।

ସମ୍ବନ୍ଧିତ ଖବର