ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲ‌ୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ହଜାର ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ଏବଂ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଛି।। ପ୍ରଥମ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଦିଲ୍ଲୀ ପୁଲିସ ହାତରେ ଅଛି ଏବଂ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରିବା ସେମାନଙ୍କ କାମ। ସ୍ବାଟ୍‌ ଟିମ୍‌ ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ ହେବେ।

ସାଧାରଣତନ୍ତ୍ର ଦିବସରେ ସମୁଦାୟ ୪୮ କମ୍ପାନି ଅର୍ଦ୍ଧସାମରିକ ବଳ, ୧୭,୦୦୦ ଦିଲ୍ଲୀ ପୁଲିସ ସଦସ୍ୟ ମୁତୟନ ହେବେ । ୨୭୦୦ ଦିଲ୍ଲୀ ପୁଲିସ ସାଧା ପୋଷାକରେ ସ୍ଥିତି ଯାଞ୍ଚ କରିବେ। ପରେଡ୍‌ ରୁଟ୍‌ରେ ସମୁଦାୟ ୫୦୦ ଏକ୍ସ‌େରେ ମେସିନ୍‌ ଏବଂ ୧,୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି। କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲାଗିଛି। ୧୦୦ରୁ ଅଧିକ ମୋବାଇଲ ପୁଲିସ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି ଏବଂ ୧୦ଟି ସିସିଟିଭି କଣ୍ଟ୍ରୋ‌ଲ ରୁମ୍‌ ନିର୍ମାଣ ହୋଇଛି। ଆସନ୍ତାକାଲିଠାରୁ ଦିଲ୍ଲୀ‌ରେ ୨,୦୦୦ ଅତିରିକ୍ତ ଟ୍ରାଫିକ୍‌ ପୁଲିସ ମୁତୟନ ‌ହେବେ। ୫୦୦ ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ ‌ହେବେ। ରାଜପଥ ସହ ରାଷ୍ଟ୍ରପତି ଭବନ ବାହାରେ ବି ସୁରକ୍ଷା‌ କଡ଼ାକଡ଼ି କରାଯାଇଛି।

ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାରୁ ଅଧକାରୀମାନେ ସାଧାରଣତନ୍ତ୍ର ଦିବସ ଉତ୍ସବ ସମୟରେ କଳା ଟୋପି ପିନ୍ଧିବା ଉପରେ କଟକଣା ଲଗାଇଛନ୍ତି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ପୁଲିସକୁ କଡ଼ା ସ‌ଚେତନତା ଅବଲମ୍ବନ କରିବାକୁ କୁହାଯାଇଛି। ଅର୍ଦ୍ଧସାମରିକ ବାହିନୀ ସହ ଦିଲ୍ଲୀ ପୁଲିସ ଏବେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରିଛି। ଦିଲ୍ଲୀ ସହ କାଶ୍ମୀରରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର