ସବରିମାଳାକୁ ନେଇ ହାଇ ଡ୍ରାମା

ଥିରୁଅନନ୍ତପୁରମ୍‌ : ଦିନ ତମାମ ହାଇ ଡ୍ରାମା ଏବଂ ଜୋରଦାର ଆନ୍ଦୋଳନ ପରେ କେରଳର ସବରିମାଳା ମନ୍ଦିର ବୁଧବାର ସନ୍ଧ୍ୟା ୫ଟା‌େର ଖୋଲିଛି। ମାସିକ ପୂଜାକର୍ମ ପାଇଁ ମନ୍ଦିର ଖୋଲିଥିବା ବେଳେ ମହିଳାମାନଙ୍କୁ କିନ୍ତୁ ପ୍ରବେଶ କରାଇ ଦିଆଯାଇ ନାହିଁ। ତୀବ୍ର ବିରୋଧ ଓ ପ୍ରତିବାଦ ଯୋଗୁ ମହିଳାମାନେ ମନ୍ଦିର ଦ୍ବ‌ାରରୁ ନିରାଶ ହୋଇ ଫେରିଛନ୍ତି। ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟ ପରେ ଆଜି ପ୍ରଥମ ଥର ପାଇଁ ମନ୍ଦିର ଖୋଲିଥିଲା। ଫଳରେ ମନ୍ଦିରରେ ପ୍ରବେଶ କରିବା ଲାଗି ବିଭିନ୍ନ ସ୍ଥାନରୁ ମହିଳାମାନେ ଆଗ୍ରହର ସହ ଆସି ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ କିଛି ଗୋଷ୍ଠୀର ମହିଳା ଓ ସଂଗଠନ ପ୍ରବେଶ ଅନୁମତି ଦେଇନଥିଲେ। ବାଟରେ ଗାଡ଼ି ଅଟକାଇ ସେମାନଙ୍କୁ ଅଧା ବାଟରୁ ଫେରାଇ ଦେଇଥିଲେ। କିଛି ମହିଳା ଶ୍ରଦ୍ଧାଳୁ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ହେଁ ସେମାନଙ୍କୁ ଭିତରେ ପୂରାଇ ଦିଆଯାଇ ନଥିଲା। ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ଆଜି ‌କୌଣସି ଜଣେ ହେଲେ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିପାରି ନାହାନ୍ତି।

ଆନ୍ଦୋଳନକାରୀମାନେ ଆଜି କୌଣସି ମହିଳାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ନଦେବାପାଇଁ ମନ୍ଦିରର ପ୍ରମୁଖ ରାସ୍ତା ଗୁଡ଼ିକୁ ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ମଧ୍ୟ ଆଜି ଅନେକ ଭକ୍ତମାନଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ସାମ୍ବାଦିକଙ୍କ ଉପରକୁ ମଧ୍ୟ ଜୋରଦାର ଆକ୍ରମଣ ହୋଇଛି। ୩ ଜଣ ସାମ୍ବାଦିକା ଆଜି ଖବର ପାଇଁ ମନ୍ଦିରକୁ ଯିବା ବାଟରେ ଆକ୍ରମଣର ଶିକାର ହୋଇଛନ୍ତି। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଆଜି ଲାଠିଚାର୍ଜ କରିଥିଲା। ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ଗଣଆତ୍ମହତ୍ୟା‌ ଧମକ ଦେଇଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିଲା। ଅନ୍ୟପକ୍ଷେ ନିଲକ୍କଲ୍‌, ପାମ୍ବା‌, ସନ୍ନିଧନମ୍‌ ଏବଂ ଏଲଭୁମକଲ୍‌ରେ ଉତ୍ତେଜନା ଜାରି ରହିଥିବାରୁ ଉକ୍ତ ସ୍ଥାନ ମାନଙ୍କରେ ବୁଧବାର ମଧ୍ୟରାତ୍ରିରୁ ୧୪୪ ଧାରା ଜାରି ହୋଇଛି। ବିଜେପି ଏବଂ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର ସମର୍ଥନ କରାଯାଇଛି। ଆ‌ନ୍ଦୋଳନ ସମୟରେ ଆଜି ଆୟପ୍ପା ଧର୍ମ ‌େସନା ପ୍ରତିଷ୍ଠାନ ମୁଖ୍ୟ ରାହୁଲ ଈଶ୍ବରଙ୍କୁ ଗିରଫ କରାଯାଇଛି।

ବହୁ ବିବାଦ ସତ୍ତ୍ବେ ଖୋଲିଲା ମନ୍ଦିର
ତଥାପି ପଶିପାରିଲେନି ମହିଳା
ସୁପ୍ରିମ‌କୋର୍ଟଙ୍କ ରାୟର ଅବମାନନା
ସାମ୍ବାଦିକଙ୍କୁ ଆକ୍ରମଣ କଲେ
୪ ସ୍ଥାନରେ ୧୪୪ ଧାରା

୨୪ ଘଣ୍ଟିଆ ଧର୍ମଘଟ ଡାକରା
ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ମନ୍ଦିରରେ କୌଣସି ମହିଳାଙ୍କୁ ପ୍ରବେଶ କରାଇ ନଦେବାପାଇଁ ସବରିମାଳା ସଂରକ୍ଷଣ ସମିତି ପକ୍ଷରୁ ଆଜି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆ‌ଯାଇଛି। ବିଜେପି ପକ୍ଷରୁ ମଧ୍ୟ ଆଜି ଏହି ଧର୍ମଘଟକୁ ସମର୍ଥନ ଦିଆଯାଇଛି। ଅକ୍ଟୋବର ୧୭ ମଧ୍ୟରାତ୍ରିରୁ ଅକ୍ଟୋବର ୧୮ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ୨୪ ଘଣ୍ଟିଆ ହରତାଳ କରାଯିବ। ସେହିପରି ସବରିମାଳା କର୍ମ ସମିତି ପକ୍ଷରୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ନେଇ କେରଳ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହାର ସମର୍ଥକମାନେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଉପବାସରେ ବସିବେ।

ଆରଏସ୍‌ଏସ୍‌- ବିଜେପିକୁ ଦାୟୀ କଲେ କେରଳ ମନ୍ତ୍ରୀ
ସବରିମାଳା ମନ୍ଦିରରେ ଆଜି ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ଆନ୍ଦୋଳନ ଓ ହିଂସାକାଣ୍ଡ ହୋଇଥିଲା ତା’ ପଛରେ ଆରଏସଏସ ଏବଂ ବିଜେପିର ହା‌ତ ରହିଛି ବୋଲି କେରଳ ମନ୍ତ୍ରୀ ଇପି ଜୟରାଜନ କହିଛନ୍ତି। ଆନ୍ଦୋଳନ ସମୟରେ ୧୦ ଟି କେଏସଆରଟିସି ବସ୍ ଭଙ୍ଗାରୁଜା କରାଯାଇଛି। ଅନ୍ୟ ରାଜ୍ୟର ଭକ୍ତମାନଙ୍କୁ ମାଡ଼ ମାରି ଫେରାଇ ଦିଆଯାଇଛି। କେରଳ ସରକାର ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଜେପି ଓ ଆରଏସଏସ ଏହା କରାଇ ଦେଉନାହାନ୍ତି ବୋଲି ମନ୍ତ୍ରୀ ଜୟରାଜନ କହିଛନ୍ତି।

 

ସମ୍ବନ୍ଧିତ ଖବର