ବିଜେପିରେ ହାଇଡ୍ରାମା

ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଲଢ଼ିବେ ତେଜସ୍ବୀ ଟିକଟ ନପାଇ ଅନନ୍ତ କୁମାରଙ୍କ ପତ୍ନୀ କ୍ଷୁବ୍ଧ

0

ବେଙ୍ଗାଲୁରୁ : ଦକ୍ଷିଣ ବେଙ୍ଗାଲୁରୁ ଆସନରେ ବିଜେପିର ପ୍ରାର୍ଥୀତ୍ବକୁ ନେଇ ଦୁଇଦିନ ହେଲା ଦଳରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ‌ରେ ବିଜେପିର ଉଦୀୟମାନ ଯୁବ ନେତା ତଥା ଆଇନଜୀବୀ ତେଜସ୍ବୀ ସୂର୍ଯ୍ୟ କର୍ଣ୍ଣାଟକର ମର୍ଯ୍ୟାଦାଜନକ ଆସନ ‘ବେଙ୍ଗାଲୁରୁ ଦକ୍ଷିଣ’ରୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରଣାସୀ ଆସନ ସହିତ କର୍ଣ୍ଣାଟକର ଏହି ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବା ନେଇ ମଧ୍ୟ କିଛି ଦିନ ଚର୍ଚ୍ଚା ହେଉଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତି‌ରେ ହୋଇଥିବା ବିଜେପି ‌ବୈଠକରେ ଏହି ଆସନରୁ ପ୍ରାର୍ଥୀ ସ୍ଥିର ହୋଇଛି। ୨୮ ବର୍ଷୀୟ ତେଜସ୍ବୀ ବେଙ୍ଗାଲୁରୁ ଦକ୍ଷିଣରୁ ନିର୍ବାଚନ ଲଢ଼ିବେ। କଂଗ୍ରେସର ବରିଷ୍ଠ ନେତା ବି କେ ହରିପ୍ରସାଦଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏଠାରେ ତୀବ୍ର ମୁକାବିଲା ହେବ। ଦୀର୍ଘ ୨ ଦଶନ୍ଧୀ ପ‌ରେ ବିକେ ହରିପ୍ରସାଦ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଆସନଟି ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ସମସ୍ତଙ୍କ ନଜର ଏବେ ତେଜସ୍ବୀଙ୍କ ଉପରେ ରହିଛି।
ପୂର୍ବରୁ ବେଙ୍ଗାଲୁରୁ ଦକ୍ଷିଣରୁ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ପ୍ରତିନିଧିତ୍ବ କରୁଥିଲେ। ୧୯୯୯ରେ କଂଗ୍ରେସର ବିକେ ହରିପ୍ରସାଦଙ୍କୁ ହଟାଇବାପରେ ଅନନ୍ତ ଏହି ଆସନରେ ରହି ଆସିଥିଲେ। କିନ୍ତୁ ଗତବର୍ଷ ଅନନ୍ତ କୁମାରଙ୍କ ଅକାଳ ବିୟୋଗ ପରେ ‌ବି‌ଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ୍‌ ୟେଦୁରପ୍ପା‌ ମଧ୍ୟ ଅନନ୍ତ କୁମାରଙ୍କ ପତ୍ନୀ ତେଜସ୍ବିନୀ ଅନନ୍ତ କୁମାରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାପାଇଁ ସୁପାରିସ କରିଥିଲେ। ତେଜସ୍ବିନୀ ମଧ୍ୟ ନିର୍ବାଚନୀ ପ୍ରଚାର ଆରମ୍ଭ କରି ସାରିଥିଲେ। କିନ୍ତୁ ଶାସକ ଦଳ ପକ୍ଷରୁ ଏହି ଆସନ ପାଇଁ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ପାରିନଥିଲା । ଶେଷରେ ବହୁ ଛକାପଂଝା ପରେ ଦଳ ତେଜସ୍ବୀଙ୍କୁ ପ୍ରାର୍ଥୀ କରିଛି। ତେଜସ୍ବୀ କର୍ଣ୍ଣାଟକ ବିଜେପି ଯୁବ ଶାଖା ସଂପାଦକ ଅଛନ୍ତି ଏବଂ ସେ କର୍ଣ୍ଣାଟକରେ ବିଜେପିର ଆଇଟି ସେଲ୍‌ ତଦାରଖ କରୁଛନ୍ତି। ତେବେ ଟିକଟ ନପାଇବାରୁ ଅନନ୍ତ କୁମାରଙ୍କ ପତ୍ନୀ କ୍ଷୁବ୍ଧ ହୋଇଛନ୍ତି ଏବଂ ଏହା ଦଳର ଉଚିତ୍‌ ନିଷ୍ପତ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.