ସିବିଆଇ ମୁଖ୍ୟଙ୍କ ଟାର୍ଗେଟ୍‌ରେ ହାଇ-ଫ୍ରୋଫାଇଲ୍‌ ଦୁର୍ନୀତି ମାମଲା

ତଦନ୍ତ ତ୍ବରାନ୍ବିତ କରିବାକୁ ଅଫିସର୍‌ଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଳା ଆଜି ୭୦ଟି ଶାଖାରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ବହୁ ଚର୍ଚ୍ଚିତ ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅଫିସରଙ୍କୁ ନେଇ ହୋଇଥିବା ବୈଠକରେ ହାଇ ପ୍ରୋଫାଇଲ୍‌ ମାମଲାଗୁଡ଼ିକର ତଦନ୍ତର ଅଗ୍ରଗତି ଉପରେ ନୂତନ ନିର୍ଦ୍ଦେଶକ ଗୁରୁତ୍ବାରୋପ କରିଥିଲେ। ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ବିଦା ହେବାପରେ ମଧ୍ୟପ୍ରଦେଶର ପୂର୍ବ ପୁଲିସ ମହାନିର୍ଦ୍ଦେଶକ ଶୁକ୍ଳାଙ୍କୁ ଫେବ୍ରୁଆରି ୨ରେ ଏହି ପଦବିରେ ଅବସ୍ଥାପିତ କରାଯାଇଥିଲା। କୋଲାକାତାରେ ପୁଲିସ ଏବଂ ସିବିଆଇ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଶୁକ୍ଳା ତାଙ୍କ ଦାୟିତ୍ବ ଗ୍ରହଣ କରିଥିଲେ। କୋଲକାତା ପୁଲିସ କମିସନରଙ୍କୁ ଶାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ମାମଲାରେ ଜେରା ପାଇଁ ଯାଇଥିବା ସିବିଆଇ ଅଧିକାରୀଙ୍କୁ ପୁଲିସ ବଳପୂର୍ବକ ଅଟକ ରଖିବା ଏବଂ ଅଫିସ୍‌ରେ ଚଢ଼ଉ କରିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ସମୀକ୍ଷା ବୈଠକରେ ଶୁକ୍ଳା ରୋଜ୍‌ ଭ୍ୟାଲି, ଶାରଦା ଚିଟ୍‌ ଫଣ୍ଡ ଦୁର୍ନୀତି, ଶ୍ରୀଜନ ଦୁର୍ନୀତି, ମୁଜାଫରପୁର ଆଶ୍ରୟସ୍ଥଳ ମାମଲା, ପିଏନ୍‌ବି ଜାଲିଆତି ମାମଲା, ବିକାନେର ଜମି ଦୁର୍ନୀତି, ଖଣି ଦୁର୍ନୀତି, ଗୁଟ୍‌ଖାା ଦୁର୍ନୀତି ଆଦି ମାମଲାରେ ତଦନ୍ତର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର