କେରଳ ପରେ ହିମାଚଳରେ ବର୍ଷା ବିତ୍ପାତ :ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୧୮ ମୃତ:୧୦୦ ବର୍ଷରେ ସବୁଠୁ ଭୟାନକ

୭ ରାଜ୍ୟରେ ୭୭୪ ମୃତ

ସିମ୍‌ଲା: କେରଳରେ ତାଣ୍ଡବ ରଚାଇବା ପରେ ଏବେ ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା ବିତ୍ପାତ। ଲଗାଣ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ମଧ୍ୟ ଆହତ ହୋଇଛନ୍ତି। ଲଗାଣ ବର୍ଷା ହେତୁ ଅନେକ ଜାତୀୟ ରାଜପଥରେ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ଯୋଗୁ ସୋଲାନ୍‌ ଜିଲ୍ଲାରେ ଗୋଟିଏ ପରିବାରରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଣ୍ଡି ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚଣ୍ଡିଗଡ଼-ସିମ୍‌ଲା ରାଜପଥକୁ ବିଭିନ୍ନ ସ୍ଥାନରେ ବନ୍ଦ କରି ଦିଆଯାଇଛି। କାଲ୍‌କା-ସିମ୍‌ଲା ରେଳପଥରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଟ୍ରେନ୍‌ ଗୁଡ଼ିକୁ ବାତିଲ୍‌ କରି ଦିଆଯାଇଛି। କିନୌରରେ ରିସ୍ପା ପୋଲ ଭୁଶୁଡ଼ି ଭାସି ଯାଇଛି। ପରଓ୍ଵାନୁ-ସୋଲାନ୍‌ ଜାତୀୟ ରାଜପଥରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ତେବେ ଆଜି ସକାଳେ ଚକ୍କି କା ମୋର୍‌ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି। ପାରଓ୍ଵାନୁ ନିକଟସ୍ଥ ରାଣୀ ଗ୍ରାମର ଜଣେ ସ୍କୁଲ୍‌ ଛାତ୍ର କୌଶଲ୍ୟା ନଦୀରେ ପଡ଼ି ଭାସି ଯାଇଛନ୍ତି। ସିମ୍‌ଲା ଜିଲ୍ଲାରେ ଭୂସ୍ଖଳନ ହେତୁ ଅଧିକାଂଶ ରାସ୍ତା ବନ୍ଦ ରହିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାନ୍ତି। ଏଠାରେ କିନ୍ତୁ କୌଣସି ଜୀବନହାନି ହୋଇନାହିଁ। ତେବେ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ପର୍ଯ୍ୟଟକମାନଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ କଡ଼ା ନଜର ରଖିଛି।

ନୂଆଦିଲ୍ଲୀ: ଚଳିତ ବର୍ଷର୍ା ଋତୁରେ ୭ଟି ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ବନ୍ୟା ହେତୁ ୭ ରାଜ୍ୟରେ ୭୭୪ ଜଣଙ୍କ ମୃତ୍ୟୁ ହୋଇଛି। ଗୃହ ମନ୍ତ୍ରାଳୟର ଏନ୍‌ଇଆରସି ତଥ୍ୟ ଅନୁଯାୟୀ ଚଳିତ ବର୍ଷା ହେତୁ କେରଳରେ ୧୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୧୭୧, ପଶ୍ଚିମବଙ୍ଗରେ ୧୭୦, ମହାରାଷ୍ଟ୍ରରେ ୧୩୯, ଗୁଜରାଟରେ ୫୨, ଆସାମରେ ୪୫ ଏବଂ ନାଗାଲାଣ୍ଡ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେରଳରୁ ୨୭ ଜଣ ନିଖୋଜ ହୋଇଯାଇଛନ୍ତି ଏବଂ ପଶ୍ଚିମବଙ୍ଗରେ ୫ ଜଣ ନିଖୋଜ ହୋଇଛନ୍ତି। ଉପରୋକ୍ତ ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ହେତୁ ସମୁଦାୟ ୨୪୫ ଜଣ ଆହତ ହୋଇଛନ୍ତି। ବର୍ଷା ମହାରାଷ୍ଟ୍ରର ୨୬ ଜିଲ୍ଲା, ଆସାମର ୨୩ ଜିଲ୍ଲା, ପଶ୍ଚିମବଙ୍ଗର ୨୨ ଜିଲ୍ଲା, କେରଳର ୧୪, ଉତ୍ତରପ୍ରଦେଶର ୧୨, ନାଗାଲାଣ୍ଡ୍‌ର ୧୧ ଏବଂ ଗୁଜରାଟର ୧୦ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଆସାମରେ ୧୧.୪୫ ଲକ୍ଷ ଲୋକ ପ୍ରବଳ କ୍ଷତି ସହିଛନ୍ତି। ୨୭,୫୫୨ ହେକ୍ଟର ଜମିରେ ଶସ୍ୟ ନଷ୍ଟ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ, ନାଗାଲାଣ୍ଡ୍‌ ଏବଂ ଅରୁଣାଚଳ ପ୍ରଦେଶ ସମେତ ସମୁଦାୟ ୧୬ଟି ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ତାମିଲନାଡ଼ୁର ୯ଟି ଜିଲ୍ଲାରେ ଏବେ ବନ୍ୟା ସତର୍କ ଜାରି କରାଯାଇଛି। ମେଟ୍ଟୁର ଡ୍ୟାମ୍‌ରୁ ପ୍ରବଳ ଜଳ ନିଷ୍କାସନ ହେତୁ କାବେରୀ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସଲେମ୍‌, ଏରୋଡ୍‌ ଏବଂ ନମକ୍କଲ୍‌ ଜିଲ୍ଲାର ତଳିଆ ଅଞ୍ଚଳରୁ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
କେରଳ: ବର୍ଷା ଛାଡ଼ିବାର ନାଁ ନେଉନି

ଥିରୁଅନନ୍ତପୁରମ୍‌: ପ୍ରବଳ ବର୍ଷା ଯୋଗୁଁ କେରଳ ସ୍ଥିତି ଏବେ ସାଂଘାତିକ। ରାଜ୍ୟର ଅର୍ଦ୍ଧାଧିକ ସ୍ଥାନ ବୁଡ଼ି ଯାଇଛି। ୧୯୨୪ ପରଠାରୁ ଅର୍ଥାତ୍‌ ପ୍ରାୟ ୧୦୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଭୟଙ୍କର ବର୍ଷା ଓ ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଗତକାଲି ବର୍ଷାର ମାତ୍ରା ସାମାନ୍ୟ କମିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଏବେ ବି ଆଶ୍ରୟସ୍ଥଳରେ ଅନେକ ଲୋକ ରହିଛନ୍ତି। କିନ୍ତୁ ଇଡ଼ୁକି ଜଳଭଣ୍ଡାର ନିକଟସ୍ଥ ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ବର୍ଷାର ପ୍ରକୋପ ବଢ଼ିଥିବାରୁ ଏବେ ଲୋକଙ୍କ ମନରେ ପୁଣି ଭୟ ସଞ୍ଚାର ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତରୁ ଜଣାଯାଇଛି। ଇଡ଼ୁକ୍କି ଜଳଭଣ୍ଡାରରେ ଗତ ଶନିବାର ଜଳସ୍ତର ୨୪,୦୦.୬ ଫୁଟ୍‌ ଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୨୩୯୮.୬୮ ଫୁଟ୍‌୍‌ ରହିଥିଲା। ଅନ୍ୟପକ୍ଷେ ଚେରୁଥୋନି ଡ୍ୟାମ୍‌ର ସମସ୍ତ ୫ଟି ଯାକ କବାଟ ଏଯାବତ୍‌ ଖୋଲାରହିଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗତକାଲି ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରି ୧୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଛନ୍ତି। ତେବେ ବର୍ଷା ହେତୁ ରାଜ୍ୟରେ ୮୩୧୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ଗତ ୫ ଦିନର ବର୍ଷାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷା ଋତୁରେ ରାଜ୍ୟରେ ସମୁଦାୟ ୧୮୬ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ୨୧୧ ଟି ଭୂସ୍ଖଳନ ହୋଇଛି। ପାଖାପାଖି ୨୦,୦୦୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ପୂର୍ତ୍ତ ବିଭାଗର ପାଖାପାଖି ୧୦,୦୦୦ କିମି ରାସ୍ତା ନଷ୍ଟ ହୋଇ ଯାଇଛି।

ସମ୍ବନ୍ଧିତ ଖବର