ପାକିସ୍ତାନରେ ଧାର୍ମିକ ସ୍ବାଧୀନତା ବିପନ୍ନ: ଜାତିସଂଘ

ହିନ୍ଦୁ, ଖ୍ରୀଷ୍ଟିୟାନଙ୍କ ସ୍ଥିତି ଶୋଚନୀୟ, ସଂଖ୍ୟାଲଘୁଙ୍କ ପାଇଁ ପାକ୍‌ ଆଇନ ସହାୟକ ହେଉନାହିଁ

ଇସ୍‌ଲାମାବାଦ: ପାକିସ୍ତାନରେ ଧାର୍ମିକ ସ୍ବାଧୀନତା ସଂପୂର୍ଣ୍ଣ ବିପଦଗ୍ରସ୍ତ ରହିଛି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶାସନରେ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି ବୋଲି ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି। ଜାତିସଂଘର ସାମାଜିକ ଓ ଆର୍ଥିକ ପରିଷଦ ପକ୍ଷରୁ ଜାରି ହୋଇଥିବା ୪୭ ପୃଷ୍ଠାର ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସ୍ଥିତି ବିପଜ୍ଜନକ ଏବଂ ସେମାନେ ଆଦୌ ନିରାପଦ ନାହାନ୍ତି। ମୁସ୍‌ଲିମ କଠୋରପନ୍ଥୀଙ୍କୁ ଶାସନକଳର ସମର୍ଥନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ରିପୋର୍ଟରେ କୁହାଯାଇଛି। ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ବିପଦ ବଢ଼ିଚାଲିଛି। ସଂଖ୍ୟାଲଘୁ ସଂପ୍ରଦାୟର ହାରିଗୁହାରି ବୁଝିବାକୁ କେହି ନଥିବାରୁ ଏହା ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି କରିଛି ବୋଲି ଜାତିସଂଘ ଚେତାଇ ଦେଇଛି। ଜାତିସଂଘ ରିପୋର୍ଟରେ କୁହାଯାଇଛି, ପ୍ରତିବର୍ଷ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ସଂପ୍ରଦାୟର ଶତାଧିକ ଯୁବତୀଙ୍କୁ ଅପହରଣ କରାଯାଉଛି ଏବଂ ସେମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ମୁସ୍‌ଲିମ ପୁରୁଷଙ୍କ ସହ ବିବାହ ପାଇଁ ବାଧ୍ୟ କରାଯାଉଛି। ଏଭଳି ସ୍ଥିତି ଜାରି ରହିଥିବାରୁ ସଂଖ୍ୟାଲଘୁ ସଂପ୍ରଦାୟ ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି । ସଂଖ୍ୟାଲଘୁ ସଂପ୍ରଦାୟକୁ ପାକିସ୍ତାନରେ ଦ୍ବିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରାଯାଉଛି ଏବଂ ସେମାନଙ୍କୁ ସରକାରୀ ଓ ବେସରକାରୀସ୍ତରରେ ପ୍ରୋତ୍ସାହନ ମିଳୁନଥିବାରୁ ଏହି ନାଗରିକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାକିସ୍ତାନର କଠୋର ଧାର୍ମିକ ଆଇନଗୁଡ଼ିକୁ ସଂଖ୍ୟାଲଘୁଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଉଥିବାର ଅନେକ ନଜିର ରହିଛି ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି । ସଂଖ୍ୟାଲଘୁ ସଂପ୍ରଦାୟ ପାକିସ୍ତାନରେ ଅପମାନିତ ଏବଂ ଅତ୍ୟାଚାରିତ ଜୀବନ ଜୀଇଁବାକୁ ବାଧ୍ୟ ହେଉଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ ପାଇଁ ସରକାରଙ୍କ କୌଣସି ଯୋଜନା ନଥିବାରୁ ମାମଲା ଜଟିଳ ହେବାରେ ଲାଗିଛି। ପାକିସ୍ତାନର ଆଇନ ବ୍ୟବସ୍ଥା ମଧ୍ୟ ସଂଖ୍ୟାଲଘୁଙ୍କ ପାଇଁ ଆଦୌ ସହାୟକ ହେଉନଥିବାରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର