ହିନ୍ଦୁ ମହାସଭାର ନୂଆ କ୍ୟାଲେଣ୍ଡର୍‌ରେ ‘କୁତୁବ୍‌ମୀନାର’ର ନାଁ ବିଷ୍ଣୁସ୍ତମ୍ଭ

ଆଗ୍ରା: ଆଲିଗଡ଼ ୟୁନିଟ୍‌ର ହିନ୍ଦୁ ମହାସଭା ରବିବାର ଦିନ ଏକ ବିବାଦୀୟ ହିନ୍ଦୁ ନବ ବର୍ଷ କ୍ୟାଲେଣ୍ଡର୍‌ ପ୍ରକାଶ କରିଛି। ସେଥିରେ ତାଜମହଲ ସମେତ ମୋଗଲ ଅମଳର ସାତଟି ମସ୍‌ଜିଦ୍‌ ଏବଂ ସ୍ମାରକୀକୁ ହିନ୍ଦୁ ମନ୍ଦିର ବୋଲି ଉଲ୍ଲେଖ କରାଯାଇଛି।

ତାଜମହଲକୁ ‘ତେଜୋମହାଳୟା ମନ୍ଦିର’, ମଧ୍ୟପ୍ରଦେଶର କମଳା ମୌଲା ମସ୍‌ଜିଦ୍‌କୁ ‘ଭୋଜଶାଳା’, କାଶୀର ଜ୍ଞାନବ୍ୟାପୀ ମସ୍‌ଜିଦ୍‌କୁ ‘ବିଶ୍ୱନାଥ ମନ୍ଦିର’ ବୋଲି ଉଲ୍ଲେଖ କରାଯାଇଛି। କୁତୁବ୍‌ ମୀନାରକୁ ଏହି କ୍ୟାଲେଣ୍ଡର୍‌ରେ ‘ବିଷ୍ଣୁସ୍ତମ୍ଭ’, ଜଉନପୁରର ଅତାଲା ମସ୍‌ଜିଦ୍‌କୁ ‘ଅତଲା ଦେବୀ ମନ୍ଦିର’ ଏବଂ ଅଯୋଧ୍ୟାର ଭଗ୍ନ ବାବ୍ରି ମସ୍‌ଜିଦ୍‌କୁ ‘ରାମ ଜନ୍ମଭୂମି’ ବୋଲି ଉଲ୍ଲେଖ କରାଯାଇଛି।

ହିନ୍ଦୁ ମହାସଭାର ଜାତୀୟ ସଚିବ ପୂଜା ଶକୁନ ପାଣ୍ଡେ କହନ୍ତି, ଆମେ ହିନ୍ଦୁ ପଞ୍ଜିକାର ପବିତ୍ର ନବ ବର୍ଷରେ ଯଜ୍ଞ ଆୟୋଜନ କରି ଏ ଦେଶକୁ ହିନ୍ଦୁ ରାଷ୍ଟ୍ର କରିବୁ ବୋଲି ପଣ କରିଛୁ। ସେ କହିଛନ୍ତି ଯେ ତାଙ୍କର ଆଶା ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିବା ନିମନ୍ତେ ତାଙ୍କର ଦାବିକୁ ସରକାର ଗ୍ରହଣ କରିବେ।

ସେ କହିଛନ୍ତି: ବିଦେଶୀ ଆକ୍ରମଣକାରୀମାନେ ହିନ୍ଦୁ ଧର୍ମପୀଠ ଲୁଣ୍ଠନ କରି ସେଗୁଡ଼ିକର ନାମ ବଦଳାଇ ମସ୍‌ଜିଦ୍‌ କରି ପକାଇଛନ୍ତି। ଆମେ ସେଗୁଡ଼ିକୁ କ୍ୟାଲେଣ୍ଡର୍‌ରେ ଉଲ୍ଲେଖ କରାଯାଇଥିବା ତାଙ୍କର ମୂଳ ନାଁ’କୁ ଫେରାଇ ନେବୁ।

ଏହି ଦାବି ଭିତ୍ତିହୀନ ବୋଲି ‘ଇମାମ୍‌-ଏ-ଇଦ୍‌ଗା ମୌଲାନା ଖାଲିଦ ରଶୀଦ ଫିରାଙ୍ଗି ମହାଲି’ କହିଛନ୍ତି। ଅଯଥାରେ ଏମାନେ ଦେଶର ସାମ୍ପ୍ରଦାୟିକ ପରିବେଶକୁ ନଷ୍ଟ କରୁଛନ୍ତି।

ସମ୍ବନ୍ଧିତ ଖବର