ରାମଲାଲାଙ୍କ ଜନ୍ମସ୍ଥାନ ସଂପର୍କିତ ପ୍ରମାଣକୁ ଚିରିଥିବା ବରିଷ୍ଠ ଆଇନ୍ଜୀବୀ ରାଜୀବ ଧାଓ୍ଵନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତ ହିନ୍ଦୁ ମହାସଭା
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଗତ ବୁଧବାର ଦିନ ଚାଲିଥିବା ବେଳେ ମୁସଲିମ୍ ସଂଗଠନଗୁଡ଼ିକ ପକ୍ଷରୁ ମାମଲାର ପରିଚାଳନା କରୁଥିବା ବରିଷ୍ଠ ଆଇନ୍ଜୀବୀ ରାଜୀବ ଧାଓ୍ଵନ୍ ରାମଲାଲାଙ୍କ ଜନ୍ମସ୍ଥାନ ସଂପର୍କିତ ଏକ ଚିତ୍ର ସମ୍ବଳିତ ପ୍ରମାଣକୁ ଖଣ୍ଡପୀଠଙ୍କ ସମ୍ମୁଖରେ ଚିରି ଦେବା ଘଟଣା ଏକ ନୂତନ ବିବାଦର ସୂତ୍ରପାତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଖିଳ ଭାରତ ହିନ୍ଦୁ ମହାସଭା ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇ, ଏପରି ଘଟଣା ସୁପ୍ରିମ୍ କୋର୍ଟଙ୍କୁ ବଦନାମ କରିବା ସହ ସୁପ୍ରିମ୍ କୋର୍ଟଙ୍କ ସମ୍ମାନହାନୀ ଘଟାଇଛି ବୋଲି ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ବାରକାଉନସିଲ ଅଧ୍ୟକ୍ଷଙ୍କ ନିକଟରେ ଏକ ଅଭିଯୋଗ ଆଗତ କରି କୋର୍ଟ ରୁମ୍ ପରିସରରେ ଏପରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବରିଷ୍ଠ ଆଇନ୍ଜୀବୀ ରାଜୀବ ଧାଓ୍ଵନ୍ଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଅଖିଳ ଭାରତ ହିନ୍ଦୁ ମହାସଭା।
ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ଜମି ବିବାଦର ଶୁଣାଣି ପ୍ରକ୍ରିୟାର ଶେଷ ଦିବସର ଶୁଣାଣି ଚାଲିଥିବା ବେଳେ ମୁସଲିମ୍ ସଂଗଠନ ସୁନ୍ନି ଓ୍ଵାକଫ୍ ବୋର୍ଡର ଓକିଲ ରାଜୀବ ଧାୱନ ଏମ ଅଭାବନୀୟ କାଣ୍ଡ ଘଟାଇଥିଲେ। ହିନ୍ଦୁ ମହାସଭାର ଓକିଲ ବିକାଶ ସିଂହଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ରାମ ଜନ୍ମଭୂମି ନକ୍ସାକୁ ସେ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଚିରି ଦେଇଥିଲେ। ଏହାକୁ ନେଇ କୋର୍ଟ ରୁମ୍ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା। ଏବଂ ଏହି ଘଟଣାରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, କୋର୍ଟ ରୁମ୍ରେ ଏଭଳି ପରିସ୍ଥିତି ଗ୍ରହଣୀୟ ନୁହେଁ, ଯଦି ଏଠାରେ ଶୃଙ୍ଖଳାକୁ ସମ୍ମାନ ଦିଆଯିବ ନାହିଁ ତା’ହେଲେ ଆମେ କୋର୍ଟ ରୁମ୍ ଛାଡ଼ି ଚାଲିଯିବୁ।