ଇଂଲଣ୍ଡସ୍ଥିତ ଐତିହାସିକ ଇଣ୍ଡିଆ କ୍ଲବ୍‌ରେ ମୂଷା ଉତ୍ପାତ

ଲଣ୍ଡନ: ଷ୍ଟ୍ରାଣ୍ଡ୍‌ ଅଞ୍ଚଳରେ ଅବସ୍ଥିତ ଏକ କ୍ଲବ୍‌ ମୂଷା ଉତ୍ପାତ ଜନିତ ମାମଲାରେ ଅଦାଲତରେ ହାଜର ହୋଇଛି। ଏହି କ୍ଲବ୍‌ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଅମଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏକତ୍ର ହେଉଥିଲେ।

ପରିବେଶୀୟ ସ୍ୱାସ୍ଥ୍ୟ ନିୟମ ଉଲ୍ଲଂଘନ ହୋଇଥିବା କଥା ଏହି ‘ଇଣ୍ଡିଆ କ୍ଲବ୍‌’କୁ ପରିଚାଳନା କରୁଥିବା ଗୋଲ୍‌ଡ୍‌ସ୍ୟାଣ୍ଡ୍‌ ହୋଟେଲ୍‌ସ୍‌ ବୁଧରବାର ଦିନ େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ସ୍‌ଙ୍କ ଅଦାଲତରେ ସ୍ୱୀକାର କରିଛି। ଅଦାଲତ କହିଥିଲେ କି, ଏହାର ସିଲିଙ୍ଗ୍‌କୁ ମୂଷାମାନେ ତାଡ଼ି ପକାଇଛନ୍ତି। ରୋଷେଇଘର, ବାର୍‌ ଅଞ୍ଚଳ, ଶୁଷ୍କ ଷ୍ଟୋରେଜ୍‌ ରୁମ୍‌, ରୋଷେଇଘର ଥାକ ଏବଂ ସର୍ଭିସ୍‌ ଏରିଆରେ ମୂଷାଲଣ୍ଡି ଓ ଅପରିଚ୍ଛନତା ଦେଖା ଦେଉଛି।
ଓକିଲ କ୍ରିଷ୍ଟି ପାଣ୍ଟୋନ୍‌ କହିଛନ୍ତି: ଅଧିକାରୀମାନେ ରୋଷେଇଘର ସିଲିଙ୍ଗ୍‌ରେ ଗାତ ଓ ଚଟାଣ ଏବଂ ତତ୍‌ସଂଲଗ୍ନ କାନ୍ଥରେ ମୂଷାଲଣ୍ଡି ଦେଖିଛନ୍ତି। ଆବଶ୍ୟକ ମୁତାବକ ପରିବର୍ତ୍ତନ ପାଇଁ ୨୦୧୫ ଏବଂ ୨୦୧୬ରେ ଅଧିକାରୀମାନେ କହିଥିଲେ ମଧ୍ୟ ରେସ୍ତୋରାଁ ସେମାନଙ୍କ କଥାରେ ଧ୍ୟାନ ଦେଇ ନ ଥିଲା।

ଇଣ୍ଡିଆ କ୍ଲବ୍‌ ୧୯୪୬ରେ ଖୋଲିଥିଲା। ସେଠାରେ ପ୍ରାକ୍‌-ସ୍ୱାଧୀନ ଅମଳର ଭାରତୀୟ ଜାତୀୟତାବାଦୀ, ବୁଦ୍ଧିଜୀବୀ ଏବଂ ରାଜନୈତିକ ବ୍ୟକ୍ତିମାନେ ଏକତ୍ର ହେଉଥିଲେ। ଇଂଲଣ୍ଡ୍‌ ପାଇଁ ଭାରତର ପ୍ରଥମ ହାଇକମିସନର୍‌ ଭି. କେ. କୃଷ୍ଣ ମେନନ୍‌ଙ୍କ ଦ୍ୱାରା ସ୍ଥାପିତ ଏହି କ୍ଲବ୍‌ ଭାରତର ସ୍ୱାଧୀନତା ପାଇଁ ଅଭିଯାନ ଚଳାଇଥିବା ବ୍ରିଟିସ୍‌ ସଙ୍ଗଠନ ‘ଇଣ୍ଡିଆ ଲିଗ୍‌’ର ସଭାସ୍ଥଳ ଥିଲା। ଲେଡି ଏଡ୍‌ଓ୍ଵିନା ମାଉଣ୍ଟ୍‌ବେଟେନ୍‌ ଏବଂ ଜବାହର ଲାଲ୍‌ ନେହେରୁ ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ।

ଦୀର୍ଘ ୨୦ ବର୍ଷ ହେବ ଇଣ୍ଡିଆ କ୍ଲବ୍‌ ବାର୍‌, ରେସ୍ତୋରାଁ ଏବଂ ହୋଟେଲ୍‌ର ପରିଚାଳନା କରୁଥିବା ଗୋଲ୍‌ଡ୍‌ସ୍ୟାଣ୍ଡ୍‌ ହୋଟେଲ୍‌ସ୍‌ ନିର୍ଦେଶକ ୟାଦ୍‌ଗାର୍‌ ମାର୍କର୍‌ କହନ୍ତି: ଦୁଇ ବର୍ଷ ତଳୁ ଆମେ ଐତିହାସିକ ପରିବର୍ତ୍ତନ କରିଛୁ। ସେବେଠାରୁ ଅନେକ ଉନ୍ନତିମୂଳକ କାର୍ଯ୍ୟ ଚାଲି ଏବେ ଏହା ଷ୍ଟାର୍‌ ରେଟିଙ୍ଗ୍‌କୁ ଆସି ଗଲାଣି। ହୋଟେଲ୍‌ଟି ଅଲ୍‌ଓ୍ଵିଚ୍‌ ଷ୍ଟେସନ୍‌ ନିକଟରେ ଅବସ୍ଥିତ। ସେ ଅଞ୍ଚଳଟି ମୂଷିକ ପ୍ରବଣ। ସେମାନେ ଗୋଟିଏ ଘରୁ ଅନ୍ୟ ଘରକୁ ଚାଲି ଆସୁଥିବାରୁ ବିଭିନ୍ନ ଅସୁବିଧା ହେଉଛି। ମୂଷା ମରା ଔଷଧ ପକାଇ ଆମେ ମୂଷା ଦମନ ପାଇଁ ଉଦ୍ୟମ କରୁଛୁ।

ସମ୍ବନ୍ଧିତ ଖବର